ଦିଲ୍ଲୀରେ ଦେଶଭକ୍ତି ସିଲାବସ ଲାଗୁ, କେଜ୍ରିଓ୍ଵାଲ କହିଲେ- ଏବେ ସ୍କୁଲଗୁଡିକରୁ ଦେଶଭକ୍ତ ଡାକ୍ତର-ଇଞ୍ଜିନିୟର ବାହାରିବେ

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮।୦୯: ଦିଲ୍ଲୀର କେଜ୍ରିଓ୍ଵାଲ ସରକାର ମଙ୍ଗଳବାର ଛତ୍ରସାଲ ଷ୍ଟାଡିୟମରେ ଦେଶଭକ୍ତି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପାଠ୍ୟକ୍ରମରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଏବଂ ନବମ ଶ୍ରେଣୀରୁ ଦ୍ଵାଦଶ ପର୍ଯ୍ୟନ୍ତ ଅଲଗା ଅଲଗା ପୁସ୍ତକ ପ୍ରସ୍ତୁତ କରାଯାଇଛି। ଏଥିସହ ଦେଶଭକ୍ତି ପାଠ୍ୟକ୍ରମରେ ଅନ୍ୟ ଏକ  ପୁସ୍ତକରେ ୧୦୦ ସ୍ଵାଧୀନତା ସଂଗ୍ରାମୀ ବିଷୟରେ ବର୍ଣ୍ଣନା କରାଯାଇଛି। ଏବେ ସ୍କୁଲ ଗୁଡିକରେ ଦେଶଭକ୍ତି ଉପରେ ୪୫ ମିନିଟ୍ କ୍ଲାସ୍ ହେବ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ଆଜି ଭଗତ ସିଂହଙ୍କ ଜନ୍ମ ଦିନ। ୨୪ ବର୍ଷ ବୟସରେ ସେ ହସି ହସି ଫାଶିରେ ଝୁଲିଗଲେ। ତାଙ୍କ ଜୀବନି ବିଷୟରେ ପଢିଛି ଏବଂ ତାଙ୍କ ଉପରେ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି। ସେହି ଫିଲ୍ମ ଦେଖି ଲୋମ ଟାଙ୍କୁରି ଉଠେ। ହୃଦୟ ଶିହରି ଉଠେ। ଏହାକୁ ହିଁ ଦେଶଭକ୍ତି କୁହାଯାଏ। ଯେବେ ଆମେ ତ୍ରିରଙ୍ଗା ଉଡୁଥିବା ଦେଖୁ ତେବେ ମନ ଭିତରେ ଅଲଗା ଭାବନା ଆସିଥାଏ। ଯେତେ ଥର ଜନ-ଗଣ-ମନ ଗାତ ହୁଏ ସଭିଙ୍କ ଭିତରେ ଦେଶଭକ୍ତି ଜାଗି ଉଠିଥାଏ। ମାତ୍ର ଆମର ସମସ୍ୟା ଏହା ଯେ, ଏହି ଭକ୍ତି ଆମ ମନରେ କେବେ କେବେ ଜାଗ୍ରତ ହୋଇଥାଏ। ଆମେ ଚାହୁଁଛୁ ଏବେ ଜଣେ ପିଲା ୨୪ ଘଣ୍ଟା ଦେଶଭକ୍ତି ଭାବନାରେ ଜିଉଁ।

କେଜ୍ରିଓ୍ଵାଲ କହିଛନ୍ତି, ପ୍ରତିଟି ମଣିଷ ଭିତରେ ଗାନ୍ଧୀ, ପଟେଲ, ସୁଭାଷ ଚନ୍ଦ୍ର ବୋଷ ରହିଛନ୍ତି, ଯିଏ ଆମକୁ ଜାଗ୍ରତ କରନ୍ତି। ଆଜି ଆମ ସ୍କୁଲ ଓ ଶିକ୍ଷା ପ୍ରତିଷ୍ଠାନ ଭଲ ଇଞ୍ଜିନିୟର, ଡାକ୍ତର ଓ ଓକିଲ ସୃଷ୍ଟି କରୁଛନ୍ତି। ହେଲେ ଏବେ ଆମେ ଦେଶଭକ୍ତ ଡାକ୍ତର ଓ ଇଞ୍ଜିନିୟର ଗଢିବୁ। ଆଜି ଅଧିକାଂଶ ଡାକ୍ତରଙ୍କ ଚିନ୍ତା ଯେ, ସେମାନେ କେମିତି ଅଧିକ ଅର୍ଥ ରୋଜଗାର କରିବେ। କିନ୍ତୁ ଦେଶଭକ୍ତ ଡାକ୍ତର ଚିନ୍ତା କରିବେ ଯେ, ମୁଁ କେମିତି ଭଲ ଚିକିତ୍ସା ସେବା ଯୋଗାଇବି।

ଆଜି ଆମେ ନିଜ କଲେଜଗୁଡିକରେ ଟଙ୍କାର ମେସିନ ପ୍ରସ୍ତୁତ କରୁଛୁ। ଦୁଇ ବର୍ଷର କଠିନ ପ୍ରୟାସ ପରେ ଆମର ଦଳ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏବେ ଆମ ସରକାର ଏହାକୁ ମଞ୍ଜୁରୀ ଦେବେ। ଏହା ଦେଶର ପ୍ରଗତି ପାଇଁ ଏକ ଉଦାହରଣ ପାଲଟିବ। ଦିଲ୍ଲୀରୁ ଏହାର ଆରମ୍ଭ  ହେବାକୁ ଯାଉଛି। ଆଗାମୀ ସମୟରେ ପୂରା ଦେଶରେ ଏହା ଆରମ୍ଭ ହୋଇଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.