କନିଷ୍ଠଯନ୍ତ୍ରୀଙ୍କୁ ଉଠବସ ମାମଲା: ଜାମିନ ନାମଞ୍ଜୁର ହେବାରୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଗଲେ ଜେଲ୍
24/06/2019 at 6:54 PM

ବଲାଙ୍ଗିର୨୪|୬: ଶେଷରେ ଆଇନର ପଞ୍ଝାରେ ପଡ଼ିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ କରିବା ଘଟଣାରେ ପାଟଣାଗଡ଼ ପୁଲିସ୍ ଗିରଫ ଆଜି କରିଛି। ବିଧାୟକଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ଜେଲ୍କୁ ପଠାଇ ଦିଆଯାଇଛି ।

ଜେଲ ଗଲେ ବିଧାୟକ । ସମସ୍ତ ଚେଷ୍ଟା ସତ୍ବେ ଆଇନର ପଞ୍ଝାରୁ ଖସିପାରିଲେନି । ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ ହେବା ପରେ ତାଙ୍କୁ ପାଟଣାଗଡ଼ ଏ.ଡି.ଜେ.ଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ବିଧାୟକଙ୍କୁ ପାଟଣାଗଡ଼ ଉପ କାରାଗାରକୁ ପଠାଇ ଦିଆଯାଇଛି । ନୂଆପଡ଼ାରେ ଏକ ହୋଟେଲରେ ଥିଲେ ବିଧାୟକ । ଅଧ ରାତିରେ ତାକୁ ସେଠାରୁ ଉଠାଇ ଆଣିଥିଲା ପୋଲିସ । ବଲାଙ୍ଗିର ନିକଟସ୍ଥ ମନୋହରପୁର ବାରାକ୍ରେ ରଖି ମାରାଥନ୍ ଜେରା କରିଥିଲା ।ଏସ୍ପି ଏସ୍. ଶିବା ସୁବ୍ରମଣି ମଧ୍ୟ ନିଜେ ତାଙ୍କୁ ଜେରା କରିଥିଲେ। ଏହା ପରେ ଏକ ଘରୋଇ ଗାଡ଼ି ଯୋଗେ ଆଜି ସକାଳୁ ତାଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଥାନାରେ ଏସ୍ପି ବି ଉପସ୍ଥିତ ଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ଥାନା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ପାଟଣାଗଡ଼ ପୂର୍ତ୍ତ ବିଭାଗର ଜେ.ଇ ଜୟକାନ୍ତ ଶବରଙ୍କୁ ବସ୍ଉଠ୍ କରାଇବା ନେଇ ବିଧାୟକଙ୍କ ନାଁରେ ମାମଲା ହୋଇଥିଲା । ଉଠ୍ବସ୍ ଘଟଣାରେ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ସ୍ବାମୀଙ୍କୁ ବିଧାୟକ ଶାରୀରିକ ନିର୍ଯାତନା ଦେବା ସହିତ ଜାତିଆଣ ଆକ୍ଷେପ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କରି ଅଭିଯୋଗ ଆଧାରରେ ପୋଲିସ୍ ଆଇପିସି ଓ ଏସ୍ସି ଏବଂ ଏସ୍ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା ।

କଥା ଏତିକିରେ ଥମିନଥିଲା । ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଥିଲେ ଜିଲ୍ଲା ଆଦିବାସୀ ସଂଘ । ଏହା ପରେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ିଥିଲା। ବଲାଙ୍ଗିର ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ସହିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଏପରିକି ଆସନ୍ତା ୨୬ ରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଥିଲା । ବିଧାୟକଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି ଆଦିବାସୀ ସଂଘ ।

ବେଲପଡ଼ା ଗମ୍ଭାରୀ ଗାଁରେ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲା। ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍ବସ୍ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା ।