ଷ୍ଟୋନ୍ ଅପରେସନ୍ ବେଳେ କାଢିନେଲେ କିଡ୍‌ନୀ: ହସ୍ପିଟାଲରେ ପରିବାର ଲୋକଙ୍କ ହଙ୍ଗାମା

Published By : Prameya-News7 Bureau | November 19, 2020 IST

ପାଟନା ୧୯/୧୧ : ଏକ ଘରୋଇ ହସ୍ପିଟାଲରେ ଅପରେସନ ବେଳେ କିଡନୀ କାଢି ନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡିତଙ୍କ ପରିବାର ଲୋକ ହସ୍ପିଟାଲରେ ହଙ୍ଗାମା କରିଛନ୍ତି। ଘଟଣା ବିହାର କଙ୍କଡବାଗ ଅଶୋକନଗର ୧୧ ନମ୍ବର ରୋଡ଼ର। ବେଗୁସରାଇରେ ରହୁଥିବା ଜଣେ ଯୁବକଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ଯେ ଯୁବକ ଷ୍ଟୋନ ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡାକ୍ତର ତାଙ୍କର କିଡନୀ ବାହାର କରିଦେଇଛନ୍ତି। ଏନେଇ ପରିବାରଲୋକ ହସ୍ପିଟାଲରେ ହଙ୍ଗାମା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।

ପୋଲିସ କହିଛି ଯେ ମାମଲାରେ ଏବେ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଲିଖିତ ଅଭିଯୋଗ ହେଲେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବ ବୋଲି କହିଛି। ତେବେ ଯୁବକଙ୍କ କିଡନୀ ବାହାର କରାଯାଇଛି ନା ନାହିଁ ତାହା ମେଡିକାଲ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ। 

{"id":364209,"sizeSlug":"large"}

ବେଗୁସରାଇରେ ରହୁଥିବା ଯୁବକଙ୍କୁ କିଛି ଦିନ ହେଲା ପେଟରେ ଯନ୍ତ୍ରଣା ହେଉଥିଲା। ଅଲଟ୍ରାସାଉଣ୍ଡ କରିବାରୁ ପେଟରେ ଷ୍ଟୋନ ଥିବା ଜଣାପଡିଥିଲା। ଯୁବକଙ୍କ ପରିବାରଲୋକ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଯୁବକଙ୍କୁ ଅପରେସନ ପାଇଁ ଅଶୋକନଗର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରେସନ ବେଳେ ଡାକ୍ତର ଯୁବକଙ୍କ ବାମ କିଡନୀ ବାହାର କରିଦେଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ପୀଡିତ ଯୁବକ ଏବେ ବି ସେହି ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଯେଉଁଠାରେ ତାଙ୍କର ଅପରେସନ ହୋଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି କୌଣସି ଯାଞ୍ଚ ହୋଇନାହିଁ ତାହେଲେ କିଡନୀ ବାହାର କରାଯାଇଥିବା କିଭଳି ଜଣାପଡିଲା ?

ପରିବାରଲୋକ ହସ୍ପିଟାଲରେ ହଙ୍ଗାମା କରିବା ପରେ ଆଖପାଖ ଲୋକ ଜମା ହୋଇଥିଲେ। ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ ହସ୍ପିଟାଲ ସଞ୍ଚାଳକ ଓ କର୍ମଚାରୀଙ୍କୁ ପଚରାଉଚୁରା କରୁଛି। 

ତେବେ ପ୍ରାଥମିକ ତଦନ୍ତରେ କିଡନୀ ବାହାର କରାଯାଇଥିବା ସ୍ପଷ୍ଟ ହୋଇନାହିଁ। ପୁରା ମାମଲାର ଯାଞ୍ଚ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ତେବେ ବିହାର ରାଜଧାନୀ ପାଟନାରେ କୌଣସି ହସ୍ପିଟାଲ ଉପରେ କିଡନୀ ବାହାର କରାଯାଇଥିବା ଅଭିଯୋଗ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅପରେସନ ବେଳେ କିଡନୀ ବାହାର କରାଯାଇଥିବା ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.