ବିହାରରେ ୩୨ ମହିଳା ପୋଲିସକର୍ମୀଙ୍କୁ ଡିଏସପି କରୁଥିଲେ ଅସଦାଚରଣ ଓ ଯୌନଶୋଷଣ : ସମସ୍ତେ ମିଶି ମହିଳା କମିଶନଙ୍କ ପାଖରେ ହେଲେ ଫେରାଦ

Published By : Prameya-News7 Bureau | November 10, 2018 IST

ବିହାର ୧୦/୧୧: ବିହାରର ରାଜଧାନୀ ପାଟଣାଠାରେ ପ୍ରାୟ ୩୨ଜଣ ମହିଳା କନେଷ୍ଟେବଲ ଜଣେ ଡିଏସପିଙ୍କ ବିରୋଧରେ  ଅଶ୍ଳୀଳ ଆଚରଣ ଏବଂ ଯୈାନ ଶୋଷଣ ଅଭିଯୋଗ କରିଛନ୍ତି। ଶୋଷଣର ଶିକାର ହେଉଥିବା ଏହି ମହିଳା କନେଷ୍ଟେବଲମାନେ ବିଭିନ୍ନ ସ୍ଥାନରେ ଅଭିଯୋଗ କରି ନିରାଶ ହେବାପରେ ଏବେ ରାଜ୍ୟ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ହେଲା ଏହା ଯେ ଡିଏସପି ତାଙ୍କୁ ଛୁଟି ଦେବା ନାଁରେ ଏକୁଟିଆ ତାଙ୍କ କ୍ୟାବିନଙ୍କୁ ଡକାନ୍ତି ଏବଂ ସେମାନଙ୍କ ସହ ଅଶ୍ଳୀଳ ଆଚରଣ କରନ୍ତି। ଗତ ଗୁରୁବାର ଦିନ ପାଟଣା ପୋଲିସର ପାଖାପାଖି ୩୨ଜଣ ମହିଳା ପୋଲିସକର୍ମୀ ମହିଳା କମିଶନ ନିକଟରେ ଅଭିଯୋଗ କରିଛନ୍ତି ଯେ ଯଦି କୈାଣସି ମହିଳା ପୋଲିସକର୍ମୀଙ୍କୁ ଛୁଟିର ଆବଶ୍ୟକତା ଥାଏ ତାହେଲେ ଡିଏସପି ତାଙ୍କୁ ଏକୁଟିଆ ତାଙ୍କ କ୍ୟାବିନରେ ଡାକି ଖରାପ ବ୍ୟବହାର କରିଥାନ୍ତି। ପିରିୟଡ ସମୟରେ ଯଦି ସେମାନେ ଛୁଟି ମାଗନ୍ତି ତେବେ ତାଙ୍କୁ ଭିଡିଓ କରି ଆଣିବାକୁ କହନ୍ତି। କେବଳ ସେତିକି ନୁହେଁ, ପ୍ୟାରେଡ ଚାଲିଥିବା ସମୟରେ ମଧ୍ୟ ଡିଏସପି ତାଙ୍କ ସହ ଅସଦାଚରଣ କରିବାକୁ ପଛାନ୍ତି ନାହିଁ। ପ୍ୟାରେଡ ସମୟରେ ଯଦି କୈାଣସି ମହିଳା ବେହୋସ୍ ହୋଇଯାନ୍ତି ତେବେ ସଂପୃକ୍ତ ମହିଳା କନେଷ୍ଟେବଲକୁ ଏହି ଡିଏସପି ବେଜିତ୍ କରିଥାନ୍ତି। ସେମାନଙ୍କ କହିବା ଅନୁସାରେ ସେମାନଙ୍କ ଅବସ୍ଥା ଶୋଚନୀୟ ହେବାକୁ ଯାଉଛି । ଏଭଳି ଘଟଣା ଯୋଗୁଁ କିଛି କନେଷ୍ଟବଲ ଏବେ  ଅବସାଦଗ୍ରସ୍ତ ରହିଛନ୍ତି । ଏହି ମହିଳା ପୋଲିସକର୍ମୀଙ୍କମାନଙ୍କ ମଧ୍ୟରେ ଏପରି କେତେକ ପୋଲିସକର୍ମୀ ମଧ୍ୟ ଅଛନ୍ତି ଯେଉଁମାନଙ୍କୁ ପୋଲିସ୍ ଲାଇନରେ ହୋଇଥିବା ଗଣ୍ଡଗୋଳ ଓ ଭଂଗାରୁଜା ଘଟଣାରେ ଚାକିରୀରୁ ବରଖାସ୍ତ କରାଯାଇଛି। କିନ୍ତୁ ସେମାନେ ଘଟଣା ଘଟିଥିବା ସମୟରେ ପୋଲିସ୍ ଲାଇନରେ ଉପସ୍ଥିତ ନଥିଲେ। ସେମାନଙ୍କ କହିବା ଅନୁସାରେ ଡିଏସପିଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ମନ ପସନ୍ଦର ପୋଷ୍ଟିଂ ପାଇଁ ଡିଏସପିଙ୍କୁ ନିରୋଳାରେ ଭେଟିବାକୁ ପ୍ରବର୍ତ୍ତାଇଥାନ୍ତି। ଅଭିଯୋଗ ଅଛି ଯେ ପୋଲିସ୍ ଲାଇନ ଉପଦ୍ରବ ଦିନ ଡିଏସପିଙ୍କ ଆଦେଶରେ ସେଠାରେ ଗୁଳିଚାଳନା କରାଯାଇଥିଲା। ଏଥିପାଇଁ ମହିଳା ପୋଲିସକର୍ମୀମାନେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ରାଜ୍ୟ ମହିଳା କମିଶନ ଏ ବାବଦରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.