ପୃଥକ ଚୋରି ଘଟଣାରେ ଦୁଇ ଗିରଫ, ଜଣେ ମୋବାଇଲ୍‌ ଚୋରି କରୁଥିଲେ ଏବଂ ଆଉ ଜଣେ ବତକ

Published By : Prameya-News7 Bureau | July 29, 2021 IST

ପାଟଣା, ୨୯।୦୭: କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ଗୁରୁବାର ଦୁଇଟି ପୃଥକ ଚୋରି ଅଭିଯୋଗରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମହିଳା ହେଲେ ସାହାରପଡାର ସାଗର ବେହେରାଙ୍କ ପତ୍ନୀ ଶିବାନୀ ବେହେରା(୨୨) । ଗତ ମେ ମାସ ୨୯ ତାରିଖ ପାଟଣା ମୁଖ୍ୟାଳୟ ଶିବନାରାୟଣପୁରର ପୂର୍ଣ୍ଣ ଚନ୍ଦ୍ର ମହାନ୍ତଙ୍କ ଘରୁ ଦିନ ଦ୍ଵିପହରରେ ଘରେ କେହି ନଥିବା ସମୟରେ୨ ଟି ଦାମୀ ମୋବାଇଲ ଫୋନ ଚୋରି ହୋଇଥିଲା । ଏନେଇ ପୂର୍ଣ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୋବାଇଲକୁ ଟ୍ରାକିଂ କରି ମହିଳାଙ୍କ ସାହାରପଡା ଘରେ ପହଞ୍ଚିଥିଲା । ମହିଳାଙ୍କ ଠାରୁ ୨ଟି ମୋବାଇଲ ଫୋନ ଜବତ କରି ପାଟଣା ଥାନା ପୋଲିସ୍‌ ୬୯/୨୧ ଦଫାରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସେହିପରି ବାଉଁଶଡିହା ଗ୍ରାମର ରମେଶ ଚନ୍ଦ୍ର ମହାନ୍ତଙ୍କ ଘରୁ ବତକ କୁକୁଡ଼ା ଓ ସାଇକେଲ ଚୋରି ଅଭିଯୋଗରେ ଦୁର୍ଗାଦେଇପୁର ଗ୍ରାମର ମାନସ କୁମାର ବେହେରା (୩୫)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୧୪ ନଭେମ୍ବର,୨୦୨୦ ମସିହାରେ ମାନସ ଏବଂ ତାଙ୍କ କିଛି ସାଙ୍ଗ ମିଶି ଯୋଜନା କରି ରମେଶଙ୍କ ଘରୁ ଚୋରି କରିଥିଲେ । ପୂର୍ବରୁ ବତକ ସାଇକେଲ ଓ କୁକୁଡ଼ା ଚୋରି ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗୁରୁବାର ମାନସକୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.