ପ୍ରଧାନମନ୍ତ୍ରୀଙ୍କ ରାଲିରେ ବ୍ଲାଷ୍ଟ କରିଥିବା ୪ ଦୋଷୀଙ୍କୁ ଫାଶୀ, ୨ ଜଣଙ୍କୁ ଅଜୀବନ ସଜା

Published By : Prameya-News7 Bureau | November 01, 2021 IST

ପାଟନା, ୦୧/୧୧: ବିହାରର ରାଜଧାନୀ ପାଟନାର ଗାନ୍ଧୀ ମୈଦାନ୍‌ରେ ହୋଇଥିବା ବମ୍ ବ୍ଲାଷ୍ଟ୍ ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ । ଦୋଷୀଙ୍କୁ ଏନ୍ଆଇଏ କୋର୍ଟ ସୋମବାର ସଜା ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ୪ ଅଭିଯୁକ୍ତଙ୍କୁ ଫଶିଦଣ୍ଡ ଶୁଣାଇଥିବା ବେଳେ ଦୁଇ ଜଣଙ୍କୁ ଆଜୀବନ ସଜା ଶୁଣାଇଛନ୍ତି । ଏଥି ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ କୋର୍ଟ ୧୦ ବର୍ଷ ଲେଖାଏ କାରାଦଣ୍ଡ ଶୁଣାଇଛନ୍ତି ।  

ଘଟଣାରେ ଅଭିଯୁକ୍ତ- ଇମତିଆଜ୍ ଅଂସାରୀ, ହୈଦର ଅଲୀ ଓର୍ଫ ବ୍ଲେକ୍ ବ୍ୟୁଟି, ନୋମାନ ଆଂସାରୀ, ମୁଜିବୁଲ୍ଲାହ ଅଂସାରୀକୁ କୋର୍ଟ ଫାସୀ ଦଣ୍ଡ ଦେଇଥିବା ବେଳେ ଅନ୍ୟ ଦୋଷୀ- ଉମର ସିଦ୍ଦିକି, ଅଝରୁଦ୍ଦିନଙ୍କୁ ଆଜିବନ କାରାବାସ ଓ ଅହମଦ ହୁସେନ୍,ଫିରୋଜ ଅସଲମଙ୍କୁ ୧୦ ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଛି। ସେହିପରି ଅନ୍ୟ ଜଣେ ଦୋଷୀ ଇଫ୍‌ତେ ଖର ଆଲମଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଗାନ୍ଧୀ ମୈଦାନ୍‌ ଏବଂ ପାଟନା ଜଙ୍ଗସନ୍‌ରେ ୨୭ ଅକ୍ଟୋବର ୨୦୧୩ରେ ସିରିଏଲ୍‌ ବମ୍ୱ୍‌ ବ୍ଲାଷ୍ଟ ହୋଇଥିଲା । ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୯ ଜଣ ଲୋକ ଆହତ ହୋଇଥିଲେ । ୮ ବର୍ଷ ପରେ ଏହି ମାମଲାର ରାୟ ଆସିଛି । ଗତ ବୁଧବାର କୋର୍ଟ ମୁଖ୍ୟ ୬ ଅଭିଯୁକ୍ତଙ୍କୁ ଦେଶଦ୍ରୋହ, ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମରେ ଦୋଷୀ ଘୋଷଣା କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତକୁ କୋର୍ଟ ସାକ୍ଷୀ ଅଭାବରୁ ମୁକ୍ତ କରିଥିବା ଜଣାପଡ଼ିଛି ।

ଗାନ୍ଧୀ ମୈଦାନ୍‌ରେ ନରେନ୍ଦ୍ର ମୋଦିଙ୍କ ରାଲିରେ ବିସ୍ପୋରଣ କରିବାକୁ ରାଞ୍ଚି ଓ ରାୟପୁରରେ ବସି ଦୋଷୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ପୂର୍ବରୁ ଏହାର ରିହର୍ସଲ ମଧ୍ୟ କରିଥିଲେ । ୨୦୧୩ ଜୁଲାଇ ୭ ତାରିଖର ବୋଧଗୟାରେ ବିସ୍ଫୋରଣ ପରେ ଗାନ୍ଧୀ ମୈଦାନରେ ବିସ୍ଫୋରଣ କରିବା ନେଇ ଇଣ୍ଡିଆନ ମୁଜାହିଦ୍ଦୀନର ଜିହାଦୀମାନେ ଯୋଜନା କରିଥିଲେ। ବୋଧଗୟା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ମୋଜିବୁଲ୍ଲାହ ଅଲି ଥିଲା। ଗାନ୍ଧୀ ମୌଦାନ୍‌ରେ ବିସ୍ଫୋରଣ ପାଇଁ ଅପରାଧୀମାନେ ବିସ୍ଫୋରକ ସାମଗ୍ରୀ ସବୁ ରାଞ୍ଚିରେ ରଖିଥିଲେ।

ବିସ୍ଫୋରଣ କରିବା ପାଇଁ ସକାଳେ ୮ ଅପରାଧି ବସ୍‌ରେ ଆସି ପାଟନାରେ ପହଞ୍ଚିଥିଲେ। ଯୋଜନା ମୁତାବକ ସେମାନେ ଅଲଗା ଅଲଗା ହୋଇ କାମ କରିବାକୁ ଲାଗିଲେ। ଇତିମଧ୍ୟରେ ପଟନା ଜଙ୍କସନ୍‌ର ପ୍ଲାଟଫର୍ମ ସୌଚାଳୟରେ ଜଣେ ଆତଙ୍କବାଦୀ ନିଜକୁ ଉଡ଼ାଇ ଦେଇଥିଲା। ଏଥିରେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.