ପାଟକୁରାରେ କାହିଁକି ବିଜୟ ବ୍ୟବଧାନ କମିଲା ତାକୁ ନେଇ ବିଜେଡିରେ ମାନସ ମନ୍ଥନ, ଭଲ କାମ କରିଥିବା କେନ୍ଦ୍ରାପଡା ଜିଲ୍ଲାର ଏହି ନେତାଙ୍କୁ ମିଳିବ ମନ୍ତ୍ରୀପଦ !

Published By : Prameya-News7 Bureau | July 25, 2019 IST

ଭୁବନେଶ୍ବର ୨୫|୭: ପାଟକୁରା ନିର୍ବାଚନ ଫଳ ଉପରେ ସମୀକ୍ଷା ପାଇଁ ବିଜେଡିର ଗୁରୁତ୍ବପୂର୍ଣ ବୈଠକ । ସେଠି ନିର୍ବାଚନ ଦାୟିତ୍ତ୍ବରେ ଥିବା ନେତାମାନଙ୍କୁ ନବୀନ ନିବାସ ଡାକି ଦଳ ସୁପ୍ରିମୋ ସମୀକ୍ଷା କରିଛନ୍ତି । କଥା ଉଠିଛି କାହିଁକି ଦଳୀୟ ପ୍ରାର୍ଥିଙ୍କ ଜିତିବା ଭୋଟ ମାର୍ଜିନ ହାର କମିଲା । ଏହାସହ କେନ୍ଦ୍ରାପଡାରୁ ଖାଲିଥିବା ଗୋଟିଏ ପଦ ପାଇଁ କିଏ ମନ୍ତ୍ରୀ ହେବେ ସେନେଇ ବି ଚର୍ଚା ଆରମ୍ଭ ହୋଇଛି ।

ସରିଲାଣି ପାଟକୁରା ନିର୍ବାଚନ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓାଲ ପ୍ରାୟ ୧୮ ହଜାର ଭୋଟରେ ଜିତି ସାରିଲେଣି । କିନ୍ତୁ ବିଜେଡିର ମାନସ ମନ୍ଥନ ଜାରି ରହିଛି । ପାଟକୁରାରେ ବିଜୟ ମହାପାତ୍ରଙ୍କୁ ହରାଇବାକୁ ଯେଉଁ ବଡ ଟାର୍ଗେଟ କରିଥିଲା ଦଳ ତାହା କାହିଁକି ବିଫଳ ହେଲା ସେନେଇ ଦାୟିତ୍ବରେ ଥିବା ନେତାଙ୍କୁ ଆଜି ନବୀନ ନିବାସ ଡାକି ରିପୋର୍ଟ ନେଇଛନ୍ତି ନବୀନ ।

କୁହାଯାଉଛି ସବୁ ପ୍ରଚେଷ୍ଟା ସତ୍ବେ ବିଜେଡିର ଭୋଟ ବ୍ୟବଧାନ ମାର୍ଜିନକୁ ନେଇ ଖୁସି ନୁହଁନ୍ତି ନବୀନ । ଦଳ ଟାର୍ଗେଟ କରିଥିଲା ୩୦ ରୁ ୪୦ ହଜାର ଭୋଟ ବ୍ୟବଧାନରେ ଜିତିବେ ବିଜେଡି ପାର୍ଥୀ । କିନ୍ତୁ ପାଖାପାଖି ଅଧା ଭୋଟ କଟିଲା । ତେଣୁ ଆଗକୁ ସେଠାରେ ସଂଗଠନ କାମ କିଭଳି ଚାଲିବ ଏବଂ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶୃତି କିଭଳି ତ୍ବରାନ୍ବିତ ହେବ ସେନେଇ ନବୀନ ପାଟକୁରା ନିର୍ବାଚନ ଦାଇତ୍ବରେ ଥିବା ସବୁ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି ।

ପାଟକୁରା ଫଳାଫଳକୁ ନେଇ ସବୁଠୁ ବଡ ଟେନସନରେ ଅଛି କଂଗ୍ରେସ । ଯେଭଳି ଦଳର ପ୍ରାର୍ଥୀ ସେଠି ଅମାନତ ହରାଇଲେ ତାକୁ କେହି ସହଜରେ ହଜମ କରିପାରୁ ନାହାଁନ୍ତି । କଂଗ୍ରେସ ଭୋଟକୁ ନିଜପଟକୁ ସିଷ୍ଟମେଟିକାଲି ବିଜେଡି ସିଫ୍ଟ କରିବାରେ ସଫଳ ହେଉଥିବାରୁ ଏହା ଦଳ ପାଇଁ ଭୁଲ ବାର୍ତ୍ତା ଦେଉଛି । ଦାମଙ୍କ ଭଳି ବରିଷ୍ଠ ନେତା ଏହି ମୌକାରେ ପାଟକୁରାର ଶ୍ରେୟ ପିସିସି ସଭାପତି ନିରଞ୍ଜନଙ୍କୁ ମିଳିବା ଦରକାର ବୋଲି କଟାକ୍ଷ କରିଛନ୍ତି ।

ସେପଟେ ବିଜେପି ପ୍ରାର୍ଥି ବିଜୟ ମହାପାତ୍ର ହାରିଥିଲେ ବି ଭଲ ଫାଇଟ ଦେଇଥିବାରୁ ଦଳ ଫେସ୍ ସେଭିଙ୍ଗ ମୋଡ୍ ରେ ଅଛି । କିନ୍ତୁ ବିଜେପୁର ନିର୍ବାଚନ ବେଳେ ବିଜେପି ନେତାଏ ଯେମିତି ଧୁଆଁଧାର ପ୍ରଚାର କରି ବିଜେଡି ନେତାଙ୍କୁ ନାକେଦମ୍ କରିଥିଲେ ବିଜୟଙ୍କୁ ଜିତାଇବାକୁ ବିଜେପି ସେଭଳି ଦମ୍ ଲଗାଇ ନ ଥିଲା ବୋଲି ମଧ୍ୟ ଆଲୋଚନା ହେଉଛି । କଂଗ୍ରେସ ସେହି ଚିରାଚରିତ କଥା ଅର୍ଥ ବଳ , ବାହୁବଳ, ସରକାରୀକଳ ଅପବ୍ୟବହାର କଥା କହୁଛି ।

ଏବେ ବିଜେଡିରେ ଆଲୋଚନା ଯେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଖାଲିଥିବା ଗୋଟିଏ ପଦରୁ କେନ୍ଦ୍ରାପଡାର ଜଣଙ୍କୁ ମନ୍ତ୍ରୀପଦ ମିଳିବ । ସେହି ଦୌଡରେ  ଅତନୁ ସବ୍ୟସାଚି ନାୟକ, ପ୍ରତାପ ଦେବ ଏବଂ ଶଶିଭୁଷଣ ବେହେରାଙ୍କ ନାଁ ସାମ୍ନାକୁ ଆସୁଛି । ଏହାବି ଆଲୋଚନା ହେଉଛି ଏହି ୩ଜଣଙ୍କ ଭିତରୁ ପାଟକୁରା ନିର୍ବାଚନରେ ସବୁଠୁ ବେଶି ପରିଶ୍ରମ କରିଥିବା ନେତା ମନ୍ତ୍ରୀ ହେବେ । ତେବେ ଏହାର ମାପକାଠି କଣ ତାହା କେହି ଧରିପାରୁ ନାହାଁନ୍ତି ।

 ପାଟକୁରା ନିର୍ବାଚନ ମଣ୍ଡଳୀରେ ୩ ବ୍ଲକ ଭିତରୁ ଗରଦପୁର ଓ ମାର୍ଶାଘାଇ ବ୍ଲକର ୨୫ଟି ପଞ୍ଚାୟତ ଥିବା ବେଳେ ଡେରାବିଶ ବ୍ଲକର ୨୬ ପଞ୍ଚାୟତ ଅନ୍ତର୍ଭୁକ୍ତ । ଡେରାବିଶରେ ଗତ ନିର୍ବାଚନରେ ଭଲ ଭୋଟ ବିଜେଡି ଖାତାକୁ ଯାଇଥିବାରୁ ଏଥର ସେଠି ପ୍ରତି ପଞ୍ଚାୟତରୁ ହଜାରେ ହିସାବରେ ୨୫ ହହାର ପ୍ଲସ ଭୋଟ ଲିଡ୍ କରିବ ବୋଲି ଦଳ ଭାବିଥିଲା । କିନ୍ତୁ ଲିଡ୍ ଦେଲା ପାଖାପାଖି ୧୪ ହଜାର ।

ସେହିଭଳି ଗରଦପୁର ଓ ମାର୍ଶାଘାଇରେ ବିଜୟ ମହାପାତ୍ରଙ୍କର  ଭଲ ସଂଗଠନ ଥିବାରୁ ସେଠି ବିଜେପିକୁ ପଛରେ ପକାଇ ଦଳ ଏଥର ଚମତ୍କାର କରିବ ବୋଲି ବିଜେଡି ଯେଉଁ ଆକଳନ କରିଥିଲା ତାହା ସେଭଳି ହେଲାନି । ଏହି ୨୫ ପଞ୍ଚାୟତୁ ଦଳକୁ ଲିଡ୍ ମିଳିଲା ମାତ୍ର ୩ ହଜାର ପ୍ଲସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.