Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ପାଇଁ ଆରମ୍ଭ ହେଲା ବିଧିବଦ୍ଧ ପ୍ରକ୍ରୀୟା

21/04/2019 at 7:56 PM

କେନ୍ଦ୍ରାପଡା ୨୧|୪: ପାଟକୁରା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପ୍ରମାଣପତ୍ର ଆଜି ପରିବାର ପକ୍ଷରୁ କେନ୍ଦ୍ରାପଡା ରିଟର୍ଣ୍ଣଂ ଅଦିକାରୀଙ୍କ ନିକଟରେ ଦାଖଲ ହୋଇଛି । ଏହାପରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳିର ନିର୍ବାଚନ ସ୍ଥଗିତ ନେଇ ବିଧିବଦ୍ଧ ପ୍ରକ୍ରୀୟା ଆରମ୍ଭ ହୋଇଛି । ଆଜି ହିଁ ବେଦପ୍ରକାଶଙ୍କ ମୃତ୍ୟୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ରିଟର୍ଣ୍ଣିଂ ଅଧିକାରୀ ସଞ୍ଜୟ କୁମାର ମିଶ୍ର |

ଏ ସମ୍ପର୍କରେ ଏକ ନୋଟିସ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଲଗାଯିବା ସହିତ ପାଟକୁରା ବିଧାନସଭା ଆସନର ସମସ୍ତ ପ୍ରାର୍ଥୀଙ୍କ ନିକଟକୁ ମଧ୍ୟ ପଠାଯିବ | କେବଳ ସେତିକି ନୁହେଁ, ଏହି ପତ୍ରର ନକଲ ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳକୁ ମଧ୍ୟ ଡାକଯୋଗେ ପଠାଯିବ ବୋଲି ରିଟର୍ଣ୍ଣିଂ ଅଧିକାରୀ ସଂଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି | ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣା ପଡିଛି |

ସୂଚନାଯୋଗ୍ୟ ଯେ, ଗତକାଲି ଦିନ ୧୦ଟା ବେଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପାଟକୁରା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ତଥା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିଲା । ଜନ ପ୍ରତିନିଧି ଆଇନ ଅନୁସାରେ ନିର୍ବାଚନ ପ୍ରକ୍ରୀୟା ଚାଲିଥିବାବେଳେ କୌଣସି ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ ସଂପୃକ୍ତ ନିର୍ବାଚନମଣ୍ଡଳିର ନିର୍ବାଚନ ସ୍ଥଗିତ ହୋଇଥାଏ । ସ୍ଥଗନାଦେଶର ୬ମାସ ମଧ୍ୟରେ ସଂପୃକ୍ତ ଆସନ ପାଇଁ ପୁଣି ନିର୍ବାଚନ ଅନୁଷ୍ଠିତ ହୋଇଥାଏ । 

ପାଟକୁରା ଆସନରୁ ଏଥର ବିଜେଡିରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଜୟନ୍ତ ମହାନ୍ତି । ଗତକାଲି ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ବିଜେପି ପ୍ରାର୍ଥୀ କହିଛନ୍ତି ଯେ, ଯଥାଶୀଘ୍ର ପୁନଃ ନିର୍ବାଚନ ପାଇଁ କମିଶନ ପଦକ୍ଷେପ ନିଅନ୍ତୁ । ୬ଷ୍ଠ ପର୍ଯ୍ୟାୟ ମଧ୍ୟରେ ନିର୍ବାଚନ ସାରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରାର୍ଥୀଙ୍କ ମୃତ୍ୟୁଯୋଗୁଁ କେବଳ ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ହେବ । କିନ୍ତୁ ଲୋକସବା ପାଇଁ ଏହି ନିର୍ବାଚନମଣ୍ଡଳିର ଭୋଟର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ ତାରିଖରେ ମତ ଗ୍ରହଣ ହେବ ।

   Related Posts