ସର୍ଜରୀ ସମୟରେ ରୋଗୀଙ୍କ ମୃତ୍ୟୁ ଡାକ୍ତରଙ୍କ ଅବହେଳା ବୋଲି କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮।୦୯: ଯଦି ସର୍ଜରୀ ସମୟରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଯାଏ ତେବେ ଏହା ଡାକ୍ତରଙ୍କ ଅବହେଳା କାରଣରୁ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଡାକ୍ତରଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ  ଘଟିଛି। ଏହା ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ଡାକ୍ତରୀ ପ୍ରମାଣ ଦେବାକୁ ପଡିବ। ବିଚାରପତି ହେମନ୍ତ ଗୁପ୍ତା ଏବଂ ବିଚାରପତି ଏଏସ ବୋପାନ୍ନାଙ୍କ ପୀଠ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ(ଏନସିଡିଆରସି)ର ଏକ ଆଦେଶକୁ ଖାରଜ କରି ଏହି ଟିପ୍ପଣୀ କରିଛନ୍ତି। ଆୟୋଗ ଜଣେ ଡାକ୍ତରଙ୍କୁ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ।

ପୀଠ କହିଛନ୍ତି, ଏହା ସ୍ପଷ୍ଟ ଯେ,ପ୍ରତିଟି ମାମଲାରେ  ଯେଉଁଠି ଚିକିତ୍ସା ସଫଳ ହୁଏ ନାହିଁ କିମ୍ବା ସର୍ଜରୀ ସମୟରେ ରୋଗୀଙ୍କ ମୃତ୍ୟୁ ଘଟେ ତେବେ ସ୍ଵତଃ ପ୍ରବୃତ ଭାବେ ଏହା କୁହାଯାଇ ପାରିବ ନାହିଁ ଏଥିରେ ଡାକ୍ତରଙ୍କ ଅବହେଳା ରହିଛି। ଯଦି ଆପଣ ଡାକ୍ତରଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି କହିବେ ତେବେ ଉପଯୁକ୍ତ ଡାକ୍ତରୀ ପ୍ରମାଣ ଦେବାକୁ ପଡିବ ଏବଂ ମେଡିକାଲ ସାକ୍ଷ୍ୟ ଉପଲବ୍ଧ କରାଇବାକୁ ପଡିବ। ଆୟୋଗ ଜଣେ ଡାକ୍ତରଙ୍କୁ ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ପ୍ରତି  ବର୍ଷ ୯ ପ୍ରତିଶତ ସୁଧ ସହିତ ୧୭ ଲକ୍ଷ ଟଙ୍କାର  କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ୧୯୯୬ର, ଯେଉଁଠି ଚିକିତ୍ସା ସମୟରେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.