ବଡ଼ ଡାକ୍ତରଖାନାରେ ବିକଳ ଚିତ୍ର, ଅକ୍ସିଜେନ୍‌ ସିଲିଣ୍ଡର୍ ବୋହୁଛନ୍ତି ରୋଗୀ

Published By : Prameya-News7 Bureau | August 25, 2020 IST

କଟକ ୨୫।୦୮: ଏସ୍‌ସିବି ମେଡିକାଲ୍‌ ଭିତର ଏକ ସମ୍ବେଦନଶୀଳ ଦୃଶ୍ୟ ଭାଇରାଲ୍‌ ହୋଇଛି । ଦୃଶ୍ୟଟି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡ ଭିତରର । ଦୁଇଜଣ ଯୁବକ ଏକ ଅକ୍ସିଜେନ୍‌ ସିଲିଣ୍ଡର୍‌କୁ ନିଜେ ଗଡ଼େଇ ଗଡ଼େଇ ଆଣି ବେଡ୍‌ ପାଖରେ ରଖୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ରୋଗୀ ବୋଲି ଜଣାପଡିଛି । ତାଙ୍କୁ ଗୋଟିଏ ବେଡ୍‌ରୁ ଆଉ ଗୋଟିଏ ବେଡ୍‌କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରୋଗୀଙ୍କ ନାକରେ ଅକ୍ସିଜେନ୍‌ ଲାଗିଥିଲା ।

ତେଣୁ ଅକ୍ସିଜେନ୍‌ ସିଲିଣ୍ଡରକୁ ରୋଗୀ ସ୍ଥାନାନ୍ତର ହୋଇଥିବା ବେଡ୍‌ ପାଖକୁ ନେବାକୁ ରୋଗୀ ୱାର୍ଡରେ ଥିବା କର୍ମଚାରୀଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କେହି ଶୁଣିନଥିଲେ । ଫଳରେ ରୋଗୀ ଜଣଙ୍କ ବାଧ୍ୟ ହୋଇ ପାଖ ବେଡ୍‌ରେ ଥିବା ରୋଗୀଙ୍କ ସହାୟତାରେ ଅକ୍ସିଜେନ୍‌ ସିଲିଣ୍ଡରକୁ ଗଡେଇ ଗଡେଇ ବେଡ୍‌ ପାଖକୁ ଆଣିଥିଲେ ଏବଂ ନିଜେ ମଧ୍ୟ ନାକରେ ଲଗେଇଥିଲେ ।

କେବଳ ସେତିକି ନୁହେଁ ଅନ୍ୟଜଣେ କରୋନା ପଜିଟିଭ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ମହିଳା ଆଇସୋଲେସନ ୱାର୍ଡରେ ଚଟାଣରେ ଶୋଇଥିଲେ ମଧ୍ୟ ତାଙ୍କ ପାଖକୁ ଡାକ୍ତର କିମ୍ବା କର୍ମଚାରୀ ଆସୁନାହାନ୍ତି । ମୋଟାମୋଟି ଭାବେ କରୋନା ଆକ୍ରାନ୍ତଙ୍କ ପାଖକୁ ଡାକ୍ତର କିମ୍ବା କର୍ମଚାରୀ ଆଇସୋଲେସନ ୱାର୍ଡକୁ ଆସୁନଥିବା ରୋଗୀ ଅଭିଯୋଗ କରିଛନ୍ତି । ତେବେ ଏଭଳି ଅଭିଯୋଗ ଉପରେ ଗୁରୁତ୍ୱ ଅନୁଧ୍ୟାନ କରାଯିବ ବୋଲି କରୋନା ନୋଡାଲ ଅଫିସର ପ୍ରଫେସର ଡାକ୍ତର ଏମ୍‌.ଆର୍‌ ପଟ୍ଟନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.