କଟକ ବଦଳରେ ବାଲେଶ୍ୱର ପଳାଉଥିଲା ୧୦୮ ଆମ୍ବୁଲାନ୍ସ, ଗାଡିରୁ ଡେଇଁ ପଡିଲେ ରୋଗୀଙ୍କ ମାଆ

Published By : Prameya-News7 Bureau | March 01, 2021 IST

ଭଦ୍ରକ, ୦୧|୦୩ : ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । ରୋଗୀଙ୍କ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ୧୦୮  ଆମ୍ବୁଲାନ୍ସ ମେଡିକାଲରୁ ରୋଗୀଙ୍କୁ ଧରି କଟକ ଯିବା ପରିବର୍ତ୍ତେ ବିପରୀତ ଦିଗରେ ଚାଲିଥିଲା । ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତିବାଦ ସତ୍ତ୍ୱେ ଆମ୍ବୁଲାନ୍ସକୁ ରୋକି ନଥିଲେ ଡ୍ରାଇଭର। ଶେଷରେ ଲୋକଙ୍କୁ ଦେଖି ଆମ୍ବୁଲାନ୍ସରୁ ଡେଇଁ ପଡିଲେ ରୋଗୀଙ୍କ ମା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଅଟକ ରଖି କର୍ମଚାରୀଙ୍କୁ ପୋଲିସର ଜିମା ଦେଇଥିଲେ । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ସୂଚନା ଅନୁସାରେ,  ଗ୍ରାମାଞ୍ଚଳ ଥାନା ରମ୍ବିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ । ରୋଗୀଙ୍କ ମାଆ ଓ ବାପା ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯିବା ବଦଳରେ ବାଲେଶ୍ୱର ଅଭିମୁଖେ ଯାଇଥିଲା । ରୋଗୀଙ୍କ ବାପା ଓ ମାଆ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବା ସତ୍ତ୍ୱେ କୌଣସି ଉତ୍ତର ପାଇନଥିଲେ । ଶେଷରେ କୌଣସି ଉପାୟ ନ ପାଇ ଆମ୍ବୁଲାନ୍ସ ଝରକାରେ ଚିତ୍କାର କରିଥିଲେ ।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପିଛା କରି ଚରମ୍ପା ସ୍ଥିତ କେନାଲ ଛକ ନିକଟରେ ଅଟକାଇଥିଲେ । ସେହି ସମୟରେ ରୋଗୀଙ୍କ ମା ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ । ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଘଟଣା ପରେ ଟାଉନ ପୋଲିସ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି । ଘଟଣା ବାବଦରେ ଆମ୍ବୁଲାନ୍ସର ଭଦ୍ରକ ଜିଲ୍ଲା ମୁଖ୍ୟ ଶିବ ସୁନ୍ଦର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ପ୍ରାଥମିକ ଭାବେ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ହେଲପରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତେବେ ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.