ହସ୍ପିଟାଲ ପରିସରରେ ନଳକୁ ପାଣି ପିଇବାକୁ ଯାଇ ପ୍ରାଣ ହରାଇଲେ ରୋଗୀ: ମୃତକଙ୍କ ହାତ ଗୋଡ ଖାଇଗଲେ ମୂଷା, ସବୁ ଜାଣି ଚୁପ ରହିଲା ହସ୍ପିଟାଲ ପ୍ରଶାସନ
25/12/2018 at 4:21 PM

ଜାମସେଧପୁର ୨୫/୧୨ : ହସ୍ପିଟାଲ ପରିସରରେ ଥିବା ନଳକୁ ପାଣି ପିଇବାକୁ ଯାଇ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଘଟଣା ଘଟିଛି ଝାରଖଣ୍ଡର କୋଲହାନ ଠାରେ | ଏଠାରେ ଅବସ୍ଥିତ ସହରର ସବୁଠାରୁ ବଡ ସରକାରୀ ହସ୍ପିଟାଲ ମହାତ୍ମା ଗାନ୍ଧୀ ମେମୋରିଆଲ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗତ ରାତିରେ ଦେଖିବାକୁ ମିଳିଛି ଏଭଳି ଭୟଙ୍କର ଦୃଶ୍ୟ | ରୋଗୀଙ୍କ ହାତ ଗୋଡକୁ ମୂଷା କୁତୁରୀ ଦେଇଥିଲେ |
ହସ୍ପିଟାଲରେ ଚିକିତ୍ସାରତ ୩୯ ବର୍ଷ ବୟସ୍କ ଚନ୍ଦ୍ରଶେଖର ଶର୍ମା ଗତକାଲି ରାତିରେ ହସ୍ପିଟାଲ ପରିସରରେ ଥିବା ନଳକୁ ପାଣି ପିଇବାକୁ ଯାଇଥିବାବେଳେ ପଡିଯାଇଥିଲେ | ସେ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି ହୋଇଥିଲେ | ନଳ ପାଖରେ ପଡିଯିବା ପରେ ସେ ବେହୋସ ହୋଇଯାଇଥିଲେ | ରାତି ସାରା ନଳର ପାଣି ତାଙ୍କ ଉପରେ ଚାଲିଥିଲା | ଦେଶ ସାରା ଏବେ ଶୀତର ପ୍ରକୋପ ବଢି ଯାଇଛି | ଏଭଳି ଶୀତରେ ଚନ୍ଦ୍ରଶେଖରଙ୍କ ଉପରେ ରାତି ସାରା ଥଣ୍ଡା ପାଣି ପଡିବା ଫଳରେ ଟଙ୍କାଟା ଜୀବନ ଚାଲିଯାଇଥିଲା | ସେ ପଡ଼ିଯାଇଥିବା ଖବର ହସ୍ପିଟାଲ କର୍ମଚାରୀଙ୍କ ପାଖେ ଥିଲେ ମଧ୍ୟ କେହି ତାଙ୍କୁ ବଂଚେଇବା ପାଇଁ ଆସିନଥିଲେ | କେବଳ ସେତିକି ନୁହେଁ ରାତି ସାରା ବାହାରେ ପଡି ରହିବାରୁ ମୂଷା ତାଙ୍କ ହାତ ଗୋଡକୁ କୁତୁରୀ ଦେଇଥିଲେ |

ମାନବିକତାକୁ ଖିଂଭିଂ କରିଦେଇଥିବା ଏହି ଘଟଣା ପବନ ଭଳି ସଙ୍ଗେସଙ୍ଗେ ପୁରା ଅଂଚଳରେ ଖେଳି ଯାଇଥିଲା | ଖବର ପାଇ ଚନ୍ଦ୍ରଶେଖରଙ୍କ ଘରଲୋକେ ହସ୍ପିଟାଲରେ ପହଂଚିଥିଲେ | ତାଙ୍କ ହାତ ଗୋଡକୁ ମୂଷା କୁତୁରୀ ଦେଇଥିବା ଦେଖି ରାଗି ଯାଇଥିଲେ ଘରଲୋକେ | ଘରଲୋକେ ପାଟିତୁଣ୍ଡ ଆରମ୍ଭ କରିବାରୁ ହସ୍ପିଟାଲ ଅଧିକାରୀ ତାଙ୍କୁ ବୁଝାଇ ସୁଝାଇ ଘରକୁ ପଠେଇ ଦେଇଥିଲେ |
ଚନ୍ଦ୍ରଶେଖର ଶର୍ମା ରିଫ୍ୟୁଜି କଲୋନୀ ଗୋଲାମୁରି ଅଂଚଳରେ ରହୁଥିଲେ | ରବିବାର ରାତିରେ ଜରୁରୀକାଳୀନ ବିଭାଗର ୧୪ ନମ୍ବର ବେଡ଼ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ତାଙ୍କ ସହ କୌଣସି ବନ୍ଧୁ ବା ପରିଜନ ନଥିଲେ |
ଜଣେ ରୋଗୀ ସୂଚନା ଦେଇଛନ୍ତି ଯେ, ରାତି ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଶେଖର ନିଜ ବେଡ଼ରୁ ଉଠି ବାହାରକୁ ଯାଇଥିଲେ | ବାହାରେ ସେ ପଡିବା ଶବ୍ଦ ଆସିଥିଲା | ଶବ୍ଦ ଶୁଣି ଗାର୍ଡ ସେହି ସ୍ଥାନକୁ ଦୌଡ଼ି ଯାଇଥିଲା | ଚନ୍ଦ୍ରଶେଖର ପଡ଼ିଯାଇଥିବା ଦେଖି ସେ ଡାକ୍ତରକୁ କହିଥିଲା | ଡାକ୍ତର ରୋଗୀଙ୍କୁ ଉଠେଇ ଆଣିବା ପାଇଁ ନିର୍ଦେଶ ଦେଇଥିଲେ | କିନ୍ତୁ ଗାର୍ଡ ଡାକ୍ତରଙ୍କ ନିର୍ଦେଶକୁ ନମାନି ଚାଲିଯାଇଥିଲା | ହସ୍ପିଟାଲର ଝାଡୁଦାର ମଧ୍ୟ ଏ ବିଷୟରେ ଜାଣିଥିଲା | ହେଲେ ସେ ମଧ୍ୟ ତାଙ୍କୁ ଉଠେଇ ଆଣିବା ଜରୁରୀ ବୋଲି ଭାବିଲାନାହିଁ | ଯାହାଫଳରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଗଲା |

ଡାକ୍ତରଙ୍କ କହିବା ଅନୁଯାୟୀ, ଚନ୍ଦ୍ରଶେଖର ବହୁତ ମଦ ପିଉଥିଲା | ୩ ଦିନ ହେବ ତାଙ୍କୁ ରକ୍ତ ବାନ୍ତି ହେଉଥିଲା |
ଏହା ପୂର୍ବରୁ ମଧ୍ୟ ଅନେକ ଥର ହସ୍ପିଟାଲରେ ଶବକୁ ମୂଷାମାନେ କୁତୁରୀ କୁତୁରୀ ଖାଇଦେବା ଘଟଣା ସାମ୍ନାକୁ ଆସିଛି | ତଥାପି ହସ୍ପିଟାଲ ପ୍ରଶାସନ ମୂଷାଙ୍କୁ ଦମନ କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ | ପୂର୍ବରୁ ଏକ ଶବର ଆଖି କାଢି ଖାଇଦେଇଥିଲେ ମୂଷାମାନେ | ଗତ ସେପ୍ଟେମ୍ବର ୨୮ ତାରିଖରେ ଜରୁରୀକାଳୀନ ବିଭାଗରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା | ତାଙ୍କ ଶବକୁ ମଧ୍ୟ ମୂଷା କୁତୁରୀ ଯାଇଥିଲେ | ଏହି ଘଟଣା ପରେ ଜରୁରୀକାଳୀନ ବିଭାଗରେ ଡ୍ୟୁଟିରେ ଥିବା ଦୁଇଜଣ ନର୍ସଙ୍କୁ ହସ୍ପିଟାଲ ପ୍ରଶାସନ ଚାକିରୀରୁ ବାହାର କରିଦେଇଥିଲା |