ଆସିଲାନି ଆମ୍ବୁଲାନ୍ସ ; କେନ୍ଦ୍ରାପଡା ରାମଚଣ୍ଡୀ ଗାଁରେ ଆଖି ବୁଜିଲେ ଯକ୍ଷ୍ମା ରୋଗୀ
10/11/2018 at 1:17 PM

କେନ୍ଦ୍ରାପଡା ୧୦|୧୧: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ରାମଚଣ୍ଡି ଗାଁ ଶବରପଡାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଯୋଗୁଁ ରୋଗୀଙ୍କର ମୃତ୍ୟୁ ହୋଇଛି । ଫଳରେ ଗାଁରେ ଉତ୍ତେଜନା ଲାଗିରହିଛି । ମୃତଦେହ ରଖି ଆମ୍ବୁଲାନ୍ସ ଘେରିଛନ୍ତି ଗ୍ରାମବାସୀ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ରାମଚଣ୍ଡି ଗାଁ ଶବରପଡାର ଲକ୍ଷିଆ ମଲ୍ଲିକ ଓ ତାଙ୍କ ପତ୍ନୀ ମିନା ମଲ୍ଲିକ ପ୍ରାୟ ୩ବର୍ଷ ହେବ ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ଗତକାଲି ଲକ୍ଷିଆଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ ରାମନଗର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଲକ୍ଷିଆଙ୍କୁ କଟକ ରେଫର କରି ଦେଇଥିଲେ । ତେବେ କଟକ ଯିବା ପୂର୍ବରୁ ଅର୍ଥ ଯୋଗାଡ କରିବାକୁ ଘରକୁ ଶବରପଡା ଯାଇଥିଲେ । ଅଭାବୀ ପରିବାର ହୋଇଥିବାରୁ କଟକ ଡାକ୍ତଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କାଲିଠାରୁ ଫୋନ କରିଥିଲେ ବି ଆମ୍ବୁଲାନ୍ସ ପହଞ୍ଚିନଥିଲା । ଫଳରେ ଡାକ୍ତରଖାନା ଯାଇନପାରି ଲକ୍ଷିଆର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ୮ଟା ୪୫ରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆମ୍ବୁଲାନ୍ସକୁ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ମେରାଇନି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ଅନ୍ୟପଟେ ବିଳମ୍ବରେ ପଂହଚିବା କଥାକୁ ଅସ୍ବୀକାର କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସେ କହିଛନ୍ତି ଆମ ପାଖରେ ୭ଟା ୧୮ରେ ଖବର ପହଞ୍ଚିଲା ଆମେ ୭ଟା ୨୦ରେ ବାହାରିଲୁ । ବାବରଠାରୁ ୩୫କିମି ରାସ୍ତା ଆସି ପଂହଚିଲୁ ୮ଟା ୪୫ମିନିଟରେ ବୋଲି ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି ।