Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଡାକ୍ତରଙ୍କ କଳିରେ ରୋଗୀ ମୃତ୍ୟୁ ପ୍ରସଂଗ: ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

10/09/2018 at 6:19 PM

ଢେଂକାନାଳ ୧୦|୯: ଦୁଇ ଡାକ୍ତରଙ୍କ କଳିରେ ରୋଗୀ ମୃତ୍ୟୁ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ମୃତକଙ୍କ ପରିବାର ପକ୍ଷରୁ ଏନେଇ ଢେଙ୍କାନାଳ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି । ସେପଟେ ଏହି ଘଟଣାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଗୁରୁତର ସହ ନେଇ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ..
ଦୁଇ ଡାକ୍ତରଙ୍କ କଳିରୁ ରୋଗୀର ଜୀବନ ଗଲା । ଆଉ ଏବେ ତନାଘନା । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଥିବା ଏହି ଅଭାବନୀୟ ଘଟଣା ପରେ ଦୁଇ ଡାକ୍ତର ବନଜ ଦାସ ଓ ସଂଧ୍ୟା ଦାସଙ୍କୁ ମଗାଯାଇଛି କାରଣ ଦର୍ଶାଅ ନୋଟିସ । ସେପଟେ ପରିବାର ଲୋକ ଏନେଇ ଢେଙ୍କାନାଳ ଟାଉନ ଥାନାରେ ଏତଲା ଦେଇଛନ୍ତି । ଗତକାଲି ଢେଙ୍କାନାଳ ଗୁଣ୍ଡୁରାପଶିର ତ୍ରୈଲୋକ୍ୟ ସାହୁଙ୍କର ଦେହ ହଠାତ୍ ଖରାପ ହୋଇପଡିଥିଲା । ତାଙ୍କୁ ଗାଁଦିଆ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ରେଫର କରାଯାଇଥିଲା । ଢେଙ୍କାନାଳ ଡାକ୍ତରଖାନା ଆଣିବା ବେଳେ ଆଉଟ୍ଡୋରରେ ଡାକ୍ତର ବନଜ ଦାସ ଥିଲେ । ସେ ରୋଗୀକୁ ମେଡିସିନ୍ ୱାର୍ଡରେ ଭର୍ତ୍ତି କରିବାକୁ ପଠାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ମେଡିସିନ୍ ୱାର୍ଡର ଡାକ୍ତର ସଂଧ୍ୟା ଦାସଙ୍କୁ ଦେଖାଇଥିଲେ ।ହେଲେ ସେ ତାଙ୍କୁ ପୁଣି ଆଉଟ୍ଡୋର ଡାକ୍ତରଙ୍କୁ ଦେଖାଇବାକୁ କହିଥିଲେ ।ଏହା ମଧ୍ୟରେ କୁଆଡେ ରୋଗୀର ମୃତ୍ୟୁ ହୋଇଯାଇଥିଲା । ପରେ ଏହି କଥାକୁ ନେଇ ଦୁଇ ଡାକ୍ତରଙ୍କ ମଧ୍ୟରେ ବଚସା ହୋଇଥିଲା ।
ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହେବା ଅଭିଯୋଗ ସହ କ୍ଷତିପୂରଣ ଦାବିରେ ପରିବାର ଓ ଗାଁ ଲୋକେ ଗଁଦିଆ-ବିଧାରପୁର ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ତେବେ ଗଁଦିଆ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ପ୍ରତିଶ୍ରୁତି ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ପରେ ପରିବାର ଲୋକେ ଏନେଇ ଢେଙ୍କାନାଳ ଟାଉନଥାନାରେ ଦୁଇ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେପଟେ କେଉଁ ପରିସ୍ଥିତିରେ ରୋଗୀର ମୃତ୍ୟୁ ହେଲା ସେଥିପାଇଁ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।
ରୋଗୀର ଜୀବନ ବଞ୍ଚାଇବା ହେଉଛି ଡାକ୍ତରଙ୍କ ଦାୟିତ୍ବ । ସେଥିପାଇଁ ଡାକ୍ତରଙ୍କୁ ଭଗବାନ ବୋଲି ମନେ କରାଯାଏ । ହେଲେ ଏଠି ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବାରୁ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ କହିଛନ୍ତି ।

   Related Posts