ଗାଁକୁ ନାହିଁ ଯାତାୟତ ସୁବିଧା : ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ୨ କି.ମି. ବୁହାହେଲେ ରୋଗୀ

Published By : Prameya-News7 Bureau | June 24, 2021 IST

ସୁନ୍ଦରଗଡ଼ ୨୪।୬: ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ଆଜି ବି ଅନେକ ଗାଁ ରହିଛି ଯେଉଁଠି ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳସରା ପଞ୍ଚାୟତର କୁମଡ଼ାଫାଲ ଗ୍ରାମରେ ।

ଦଶନ୍ଧି ପରେ ଦଶନ୍ଧି ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହି ଗାଁକୁ ଯିବା ପାଇଁ ରାସ୍ତା ନାହିଁ ।  ଫଳରେ ଏହି ଗାଁ ସମେତ ଆଖପାଖ ଅଞ୍ଚଳ ବାସିନ୍ଦାମାନେ ଏହି କୁମଡ଼ାଫାଲ ଗାଁ ନାଳ ପାର ହୋଇ ବ୍ଲକ ମୁଖ୍ୟାଳୟ, ଡାକ୍ତରଖାନା ସମେତ ବିଭିନ୍ନ କାମରେ ଦୈନନ୍ଦିନ ଯାଆସ କରିଥାନ୍ତି ।  ରାସ୍ତା ନଥିବା ହେତୁ ଏହି ଗାଁ ଲୋକେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଗୁରୁତର ରୋଗୀ ହୁଅନ୍ତୁ କି ପ୍ରସୂତୀ ମହିଳାଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ନାଳ ପାର କରି ନେଇଥାନ୍ତି । ସରକାର ଗାଁକୁ କାମ ଓ ମା’କୁ ସମ୍ମାନର ଦ୍ବାହି ଦେଉଥିବା ବେଳେ ଏହି ଚିତ୍ରକୁ ଦେଖିଲେ ସରକାର ଦେଇଥିବା ନାରା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡିଛି ।  

କୁମଡାଫାଲ ଗ୍ରାମର ଯୁବକ ଦିଲ୍ଲୀପ ବାରୁଆ ବିଷପାନ କରି ଗୁରୁତର ଥିବାବେଳେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା ରୋଗୀଙ୍କ ପାଖରେ । ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ରୋଗୀକୁ ଗାଁରୁ ଦୁଇ କିଲୋମିଟର ଖଟିଆରେ ବୋହି ଆଣିଥିଲେ ନାଳ ଆର ପଟେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ପାଖକୁ । ଆମ୍ବୁଲାନ୍ସରେ ଥିବା ସ୍ବାସ୍ଥ୍ୟକର୍ମୀ ଓ ଡ୍ରାଇଭର ଗାଁ ଲୋକଙ୍କ ସହ ମିଶି ଖଟିଆରେ ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ । ଏହାପରେ ରୋଗୀକୁ ସବଡେଗା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ।  ମେଡିକାଲରେ ଚିକିତ୍ସିତ ହେବା ପରେ ବଞ୍ଚି ଯାଇଥିଲା ଦିଲ୍ଲୀପଙ୍କ ଜୀବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.