ପଟି ଦିଅଁ
29/06/2018 at 11:56 AM

ରଥଯାତ୍ରା ପୂର୍ବରୁ ସ୍ନାନ ଯାତ୍ରା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନବସରର ରୁହନ୍ତି | ଏହି ସମୟରେ ପଟି ଦିଅଁ ପୂଜାର ପରମ୍ପରା ପ୍ରଚଳିତ | ପଟଚିତ ଧାରାରେ ଠାକୁରମାନଙ୍କ ଚିତ୍ର ଅଙ୍କା ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟଚିତ୍ର ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ | ସ୍ନାନ ପୁର୍ଣିମାର ସମସ୍ତ ନୀତି ସମ୍ପାଦିତ ହେବା ପରେ ମଧ୍ୟରାତ୍ରିରେ ଏହି ପଟିଦିଅଁ ଶ୍ରୀମନ୍ଦିରକୁ ବିଜେ ହୁଅନ୍ତି | ସ୍ନାନ ପୁର୍ଣିମା ପରବର୍ତ୍ତୀ ପନ୍ଦର ଦିନ ଅନବସର କାରଣରୁ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ମିଳେ ନାହିଁ | ମନ୍ଦିରର ଗର୍ଭଗୃହ ସମ୍ମୁଖ କଳାହାଟ କବାଟ ପୂର୍ବରୁ ଥିବା ଅନବସର ପିଣ୍ଡିରେ ଠାକୁରମାନେ ଅନବସର ନୀତିରେ ରୁହନ୍ତି | ଏହି ଅନବସର ଗୃହକୁ ତାଟିରେ ପ୍ରସ୍ତୁତ କରାଯାଇଥାଏ | ଅନବସର ଗୃହର ବାହାର ପଟ ତାଟିରେ ଏହି ପଟିଦିଅଁମାନେ ବିଜେ କରି ୧୪ ଦିନ ଅନବସର କାଳରେ ପୂଜା ପାଇଥାନ୍ତି | ସ୍ୱତନ୍ତ୍ର ଭାବରେ ଚିତ୍ରକାର ସେବକମାନେ ପ୍ରତିବର୍ଷ ଖୁବ ନିଷ୍ଠାର ସହ ୩ଟି ପଟିରେ ଏହି ପଟିଦିଅଁମାନଙ୍କୁ ଆଙ୍କିଥାନ୍ତି | ଶ୍ରୀଜଗନ୍ନାଥଙ୍କ ପଟିରେ ମହାପ୍ରଭୁ ଚତୁର୍ଭୁଜ ରୂପରେ ଶୋଭା ପାଉଥିବା ବେଳେ ତାଙ୍କର ନାମ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କୁ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ୱରୀ ଓ ଶ୍ରୀ ସୁଦର୍ଶନଙ୍କୁ ପତିତପାବନ ଭାବରେ ଆରାଧନା କରାଯାଇଥାଏ | ଏହି ପଟିଦିଅଁଙ୍କ ସମ୍ମୁଖରେ ଖଟ ଉପରେ ଚଳନ୍ତି ପ୍ରତିମା ମଦନ ମୋହନ, ଦୋଳଗୋବିନ୍ଦ, ଶ୍ରୀ ନୃସିଂହ, ଶ୍ରୀ ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ସପ୍ତ ବିଗ୍ରହ ମଧ୍ୟ ପୂଜା ପାଇଥାନ୍ତି |