କାଠୁଆରେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଆସିଲା ରାୟ : ୭ ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | June 10, 2019 IST

କାଠୁଆ ୧୦/୬: ଜାମ୍ମୁ କାଶ୍ମୀର କାଠୁଆରେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଆସିଲା ରାୟ । ୭ ଅଭିଯୁକ୍ତଙ୍କ ଭିତରୁ ୬ ଜଣ ଦୋଷୀ ସାବ୍ୟସ୍ତ କରିଛନ୍ତି ପଞ୍ଜାବର ପଠାନକୋଟ୍‌ ସ୍ବତନ୍ତ୍ର କୋର୍ଟ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ବାକି ୩ ଜଣଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନେ ହେଲେ ପୋଲିସ ଅଫିସର ଦୀପକ ଖଜୁରିଆ ଓ ସୁରେନ୍ଦ୍ର ବର୍ମା, ପୋଲିସ ଏଏସ୍ଆଇ ଆନନ୍ଦ ଦତ୍ତା, ହେଡ କନଷ୍ଟେବଲ୍ ତିଲକରାଜ, ଗାଁ ମୁଖିଆ ସାଂଝୀ ରାମ, ସ୍ଥାନୀୟ ବାସିନ୍ଦା ପରବେଶ କୁମାର । ଦୀପକ ଖଜୁରିଆ, ସାଂଝୀ ରାମ୍‌ ଓ ପରବେଶ କୁମାରକୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ସୁରେନ୍ଦ୍ର ବର୍ମା, ଆନନ୍ଦ ଦତ୍ତା ଓ ତିଲକରାଜକୁ ୩ ବର୍ଷ ସଶ୍ରମ କାରାଦାଣ୍ଡ ଜରିମାନା କରାଯାଇଛି । ତେବେ ରାୟ ବିରୋଧରେ ଉପର କୋର୍ଟକୁ ଯିବେ ବୋଲି ଅପରାଧୀଙ୍କ ଓକିଲ କହିଛନ୍ତି ।

{"id":121840,"width":594,"height":346}

ଗତବର୍ଷ ୧୦ଜାନୁଆରୀରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ୮ବର୍ଷର ନାବାଳିକା ସହ ଗଣ ଦୁଷ୍କର୍ମ କରି ଅତି ନିର୍ଦ୍ଦୟ ଭାବରେ ତାକୁ ହତ୍ୟା କରାଯାଇଥିଲା । ପୋଲିସ ଚାର୍ଜସିଟ୍ ଅନୁଯାୟୀ, ପୀଡିତା ନାବାଳିକା ଘାଟିରେ ଘୋଡା ଚରାଇବାକୁ ଯାଇଥିବା ବେଳେ ତାକୁ ଅପହରଣ କରି  ଗାଁର ଏକ ମନ୍ଦିରରେ ରଖିବା ପରେ ଅଭିଯୁକ୍ତମାନେ ବାରମ୍ବାର ଦୁଷ୍କର୍ମ କରିଥିଲେ । ୪ଦିନ ଧରି ବେହୋସ ରହିବା ପରେ ପୀଡିତାକୁ ହତ୍ୟା କରାଯାଇଥିଲା । ପୁରା ଘଟଣାରେ ମାଷ୍ଟରମାଇଣ୍ଡ ଥିଲା ଗାଁ ମୁଖିଆ ସାଂଝୀ ରାମ । ୧୭ଜାନୁଆରୀରେ ନାବାଳିକାଙ୍କ  ମୃତ ଦେହ ମିଳିବା ପରେ ଧୀରେ ଧୀରେ ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଥିଲା । ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି ଜୋର ଧରିଥିଲା । ଏପଟେ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ପ୍ରତି ନିର୍ଦ୍ଧିଷ୍ଟ ସଂପ୍ରଦାୟ ସମର୍ଥନ ବଢୁଥିଲା । ଫଳରେ ଚାର୍ଜସିଟ୍ ଦାଖଲକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏପରିକି କ୍ରାଇମବ୍ରାଞ୍ଚ ଟିମ୍‌କୁ ମଧ୍ୟ ଆଇନଜୀବୀମାନେ ଅଟକାଇଥିଲେ । ସ୍ଥାନୀୟ ପୋଲିସ ଅଫିସରଙ୍କ ସଂପୃକ୍ତି ଥିବାରୁ ଏହି ମାମଲା ଅତି ସମ୍ବେଦନଶୀଳ ପାଲଟିଯାଇଥିଲା ।

{"id":121841,"width":596,"height":327}

ନିରପେକ୍ଷ ଶୁଣାଣି ପାଇଁ ସୁ୍ପ୍ରିମକୋର୍ଟ ଏହି ମାମଲାକୁ ଜମ୍ମୁ କାଶ୍ମୀର କାଠୁଆରୁ ପଞ୍ଜାବ ପଠାନକୋର୍ଟକୁ ସ୍ଥାନାନ୍ତର କରିଥିଲେ । ବନ୍ଦ କୋଠରୀ ଭିତରେ ପ୍ରତିଦିନ ଶୁଣାଣି କରିବାକୁ ପଠାନକୋଟ ଜିଲ୍ଲା ନ୍ୟାୟାଧୀଶଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜୁନ ୩ତାରିଖରେ ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।

{"id":121842,"width":594,"height":330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.