ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ

Published By : Prameya-News7 Bureau | January 27, 2021 IST

ଭୁବନେଶ୍ବର ୨୭/୦୧: ଜାମିନ ମିଳିବା ପରେ ମଧ୍ୟ ଜେଲ୍‌ରେ ରହିବେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ। ଜାମିନ ପାଇବା ପରେ ବି ଜେଲରୁ ବାହାରିପାରିବେନି ପାଠକ ବାପ-ପୁଅ। ସେମାନଙ୍କ ବିରୋଧରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହା ସହ ପାଠକ ବାପ-ପୁଅଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରହିଛି।

ପାଠକ ବାପ-ପୁଅଙ୍କୁ ଜାମିନ୍ ମିଳିଛି ‌। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍‌ ତଥା ପୂର୍ବତନ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗତ ନଭେମ୍ବର ୨୭ରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଉଭୟ ବାପ-ପୁଅଙ୍କୁ ମୁହାଁମୁହିଁ ବସାଇ ଭିଜିଲାନ୍ସ ଜେରା କରିଥିଲା। ଏହା ପୂର୍ବରୁ ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ବାପ-ପୁଅଙ୍କ ଗିରଫ ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା।

ଅନ୍ୟପଟେ ପାଠକ ବାପ-ପୁଅଙ୍କ ଲିଙ୍କରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତଦନ୍ତ ପରରିସରକୁ ଆସିଥିଲେ। ତଦନ୍ତ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଡିସେମ୍ବରରେ ରାଜ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।  ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଏବଂ ୪୭୧ ଦଫା ଭଳି ସଂଗୀନ ଦଫା ଲାଗିଛି। ଏବେ ବି ପ୍ରଦୀପ ପାଣିଗ୍ରାହୀ ଜେଲ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.