ପାଠକ ବାପ-ପୁଅଙ୍କୁ ଜାମିନ୍‌ ମିଳିଗଲା, ଦୁର୍ନୀତି ଓ ଠକେଇ ମାମଲାରେ ଗିରଫ ହୋଇ ଯାଇଥିଲେ ଜେଲ୍‌

Published By : Prameya-News7 Bureau | January 27, 2021 IST

ଭୁବନେଶ୍ବର ୨୭/୦୧:  ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍‌। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍‌ ତଥା ପୂର୍ବତନ ଅତିରିକ୍ତ ସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।

ତେବେ ଜାମିନ ମିଳିବା ପରେ ବି ପାଠକ ବାପ-ପୁଅ ଜେଲ୍‌ରୁ ବାହରିପାରିବେ ନାହିଁ। କାରଣ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଏପରିକି ସେମାନଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରହିଛି।

ଗତ ନଭେମ୍ବର ମାସରେ ଏହି ବହୁଚର୍ଚ୍ଚିତ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିଥିଲା। ରାଜ୍ର ଇତିହାସରେ ସବୁଠାର ବଡ଼ ଭିଜିଲାନ୍ସ ଚଢ଼ାଉ କୁହାଯାଉଥିବା ଏହି ମାମଲାରେ କୋଟି କୋଟି ଟଙ୍କର ସମ୍ପତ୍ତିର ହିସାବ ଭିଜିଲାନ୍ସ ଟିମ୍‌କୁ ଟେନସନ୍ କରିଦେଇଥିଲା। ଏହା ପରେ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ସାମ୍ରାଜ୍ୟ ଧରାପଡ଼ିଥିଲା।

{"id":399444,"sizeSlug":"large","linkDestination":"none"}

ଟାଟା କମ୍ପାନୀରେ ଉଚ୍ଚ ପଦାଧିକାରୀ ପରିଚୟ ଦେଇ ଆକାଶ ମଧ୍ୟ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ ଗିରଫ ହେବା ସହ ଦଳରୁ ବିଦା ହୋଇଥିଲେ। ପ୍ରଦୀପଙ୍କ ଝିଅ ସହ ଆକାଶ ପାଠକଙ୍କ ନିର୍ବନ୍ଧ ସରିଥିଲା। କିନ୍ତୁ ପାଠକ ଏବଂ ପାଣିଗ୍ରାହୀ ଏକ ବିରାଟ ଠକେଇ ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭୟକାନ୍ତ ଓ ଆକାଶ ଗିରଫ ହୋଇଥିଲେ। ସେମାନଙ୍କୁ ବୁଧବାର ଜାମିନ ମିଳିଛି। କିନ୍ତୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ଗତ ନଭେମ୍ବର ୨୭ରେ ଗିରଫ ହୋଇଥିଲେ ପାଠକ ବାପ-ପୁଅ। ଦୁର୍ନୀତି ମାମଲାରେ ଭିଜିଲାନ୍ସ ଉଭୟ ବାପା-ପୁଅଙ୍କୁ ଗିରଫ କରିଥିଲା। ଉଭୟ ବାପ-ପୁଅଙ୍କୁ ମୁହାଁମୁହିଁ ବସାଇ ଭିଜିଲାନ୍ସ ଜେରା କରିଥିଲା। ଏହା ପୂର୍ବରୁ ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ବାପ-ପୁଅଙ୍କ ଗିରଫ ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା।

ଏହି ଘଟଣାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ ଜଣଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ଏଥିରେ  ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ୍ରାଇଭର ସାମିଲ ଥିଲେ। ବାପ-ପୁଅଙ୍କୁ ଗିରଫ କରିବା ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିଲା ।  ଆଇଏଫ୍‌ଏସ ଅଭୟକାନ୍ତଙ୍କୁ ଭିଜିଲାନ୍ସ  ଡିଆଇଜି ସଞ୍ଜୟ କୁଶାଲ ଜେରା କରିଥିଲେ। ଏହି ପଚରାଉଚରା ସମୟରେ ଭିଜିଲାନ୍ସ ଏସ୍‌ପି ଅନୁପମା ଜେମ୍ସ ମଧ୍ୟ ଉପସ୍ଥିତ ଥିଲେ।

ପାଠକ ବାପ-ପୁଅଙ୍କ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଳି ପଡ଼ିଥିଲା।  ୩ ଡିସେମ୍ବରରେ ରାଜ୍ୟ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।  ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଏବଂ ୪୭୧ ଦଫା ଭଳି ସଂଗୀନ ଦଫା ଲାଗିଛି।  କେସ ନଂ ୨୬/୨୦୨୦ରେ ମାମଲା ରୁଜୁ ହୋଇଥିଲା । ସାଇବର ଆଇନ୍ ୬୬ସି/୬୬ ଡି ଧାରାରେ ମାମଲା ରୁଜୁ ହୋଇଥିଲା । ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.