Air portରେ ଥର୍ମାଲ ସ୍କାନରକୁ ଏପରି ଠକୁଛନ୍ତି ଯାତ୍ରୀ, ଭାରତରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା
20/03/2020 at 7:22 PM

ନୂଆଦିଲ୍ଲୀ ୨୦।୩:ବଲିଉଡ ଗାୟିକା କନିକା କପୁର କରୋନା ପଜେଟିଭ ଜଣାପଡିବା ପରେ ଏବେ ଦେଶରେ ଖୋଳତାଡ ଆରମ୍ଭ ହୋଇଛି। ଏଥିରେ ଯାତ୍ରୀ ବିମାନ ବନ୍ଦରରେ ଥର୍ମାଲ ସ୍କାନରକୁ ଚକମା ଦେଇ ଦେଶ ଭିତରକୁ ଚାଲିଆସୁଥିବା ପ୍ରଥମ ଥର ଜଣାପଡିଛି। କରୋନା ସଂକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଲକ୍ଷ ୪୫ ହଜାର ଲୋକ ସଂକ୍ରମିତ ହେଲେଣି। ଏଥିରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୩୦ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।

କନିକା କିଛି ଦିନ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। ହେଲେ ସେ ବିଦେଶରୁ ଫେରିଥିବା ନେଇ କାହାକୁ ଜଣାଇନଥିଲେ। ବିମାନବନ୍ଦରରୁ ସିଧା ଲକ୍ଷ୍ନୌର ତାଜ ହୋଟେଲ ଚାଲିଯାଇଥିଲେ। ସେଠାରେ ଅବସ୍ଥାନ କାଳରେ ଗ୍ରାଣ୍ଡ ଆପାର୍ଟମେଣ୍ଟରେ ଆୟୋଜିତ ଏକ ପାର୍ଟିରେ ମଧ୍ୟ ଯୋଗଦେଇଥିଲେ। ଫଳରେ ତାଙ୍କ ସଂସ୍ପର୍ସରେ ଅନେକ ଲୋକ ଆସିଥିବା ଜଣାପଡିଛି। ଏହି ଘଟଣା ଏବେ ବିମାନବନ୍ଦର ପ୍ରଶାସନ ଓ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ନିଦ ଭାଙ୍ଗିଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ହାତରେ ହୋମ କ୍ୱାରେଣ୍ଟାଇନ ମୋହର ଲଗାଯାଉଛି।

ବିଦେଶରୁ ଫେରୁଥିବା ଯାତ୍ରୀମାନେ ବିମାନଯାତ୍ରାରେ ନର୍ଭସ ନ ହେବା ଲାଗି କ୍ରୋସିନ ଅଥବା ପାରାସିଟାମଲ ଖାଉଛନ୍ତି। ଏଣୁ ବିମାନବନ୍ଦର ଥର୍ମାଲ ସ୍କାନରରେ ସେମାନଙ୍କ ଶରୀରର ତାପମାତ୍ରା ସନ୍ତୁଳିତ ରହୁଥିବା ବେଳେ ବାହାରେ କରୋନା ପଜେଟିଭ ଧରାପଡୁଛନ୍ତି। ଯାହା ଦେଶ ଲାଗି ବିପଦଜନକ ହେବ ବୋଲି ଜଣାପଡିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏବେ ଯାତ୍ରୀଙ୍କ ହାତରେ ହୋମ କ୍ୱାରେଣ୍ଟାଇନ ମୋହର ଲଗାଇବା ଆରମ୍ଭ କରିଛନ୍ତି।