ଆଜିଠୁ ଗଡିବ ଭୁବନେଶ୍ବର-ନୂଆଦିଲ୍ଲୀ ସ୍ବତନ୍ତ୍ର ଏକ୍ସପ୍ରେସ୍ : ସକାଳ ୧୦ଟା ଛାଡିବ ଷ୍ଟେସନ୍, ଯାତ୍ରୀଙ୍କର ହେବ ମେଡିକାଲ ସ୍କ୍ରିନିଂ ଓ ଟିକେଟ୍ ଯାଞ୍ଚ

Published By : Prameya-News7 Bureau | May 13, 2020 IST

ଭୁବନେଶ୍ବର ୧୩।୫: ଆଜିଠୁ ଗଡିବ ଭୁବନେଶ୍ବର-ନୂଆଦିଲ୍ଲୀ ଏକ୍ସପ୍ରେସ୍ । ସକାଳ ୧୦ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ବର ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଭୁବନେଶ୍ବର ରେଳ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କର ମେଡିକାଲ ସ୍କ୍ରିନିଂ ଓ ଟିକେଟ୍ ଯାଞ୍ଚ କରାଯିବ।

ଏଥିପାଇଁ ଯାତ୍ରା ଆରମ୍ଭ ସମୟର ୯୦ ମିନିଟ୍ ପୂର୍ବରୁ ରେଳ ଷ୍ଟେସନରେ ପହଞ୍ଚିବା ପାଇଁ କୁହାଯାଇଛି । କେବଳ କନଫର୍ମ ଟିକଟ ଥିବା ଯାତ୍ରୀଙ୍କୁ ପ୍ଲାଟଫର୍ମ ମଧ୍ୟକୁ ପ୍ରବେଶର ଅନୁମତି ମିଳିବ। ସମ୍ପୂର୍ଣ୍ଣ ଷ୍ଟେସନ  ଓ ସ୍ବତନ୍ତ୍ର ଟ୍ରେନକୁ ବିଶୋଧନ କରାଯାଇ ଥିବାବେଳେ ସାମାଜିକ ଦୂରତା ରକ୍ଷା ଲାଗି ବ୍ୟବସ୍ଥା ହୋଇଛି।

ସମଗ୍ର ଦେଶରେ ୧୫ ଯୋଡା ସ୍ବତନ୍ତ୍ର ଟ୍ରେନ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର-ନୂଆଦିଳ୍ଲୀ ମଧ୍ୟରେ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି । ଏହି ସ୍ବତନ୍ତ୍ର ଟ୍ରେନ୍ ଏସି ପ୍ରଥମ ଶ୍ରେଣୀ, ଦ୍ବିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ କୋଚ୍ ରହିଛି । ସମ୍ପୂର୍ଣ୍ଣ ଟ୍ରେନ୍ ବାତାନୁକୂଳିତ ହୋଇଥିବାବେଳେ ଯାତ୍ରୀ ଭଡ଼ା କିନ୍ତୁ ଏକ୍ସପ୍ରେସ ସହ ସମାନ ରଖାଯାଇଛି।

ଏଥିପାଇଁ ଆଇଆରସିଟିସି ୱେବସାଇଟ୍  ଏବଂ ମୋବାଇଲ୍ ଆପ୍  ଜରିଆରେ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । କିନ୍ତୁ ଏକ ଘଣ୍ଟା ମଧ୍ୟରେ ଏହି ଉଭୟ ପଟୁ ଟ୍ରେନ୍ ର ସମସ୍ତ ଟିକେଟ୍ ବୁକିଂ ଶେଷ ହୋଇଯାଇଥିଲା । କେବଳ ଏତିକି ନୁହେଁ  ସାତଦିନ ପର୍ଯ୍ୟନ୍ତ ଯାତ୍ରାର ସମସ୍ତ ଟିକେଟ୍ ଶେଷ ହୋଇଯାଇଛି। ଫଳରେ ବହୁ ସଂଖ୍ୟକ ଯାତ୍ରୀ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଚାହିଦାକୁ ଦୃଷ୍ଟିରେ ରଖି ଏଥିରେ ଅଧିକ କୋଚ୍ ସଂଯୋଗ ପାଇଁ ରେଳବାଇ ଯୋଜନା ରଖିଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନି । ଏହି ସ୍ବତନ୍ତ୍ର ଟ୍ରେନ୍ ବାଲେଶ୍ବର ସମେତ ଖଡ଼ଗପୁର, ଟାଟା, ବୋକାରୋ ଷ୍ଟିଲ୍ ସିଟି, ଗୟା, ଦୀନ ଦୟାଲ ଉପାଧ୍ୟାୟ ଜଂସନ୍ ଓ କାନପୁର ସେଣ୍ଟ୍ରାଲ୍  ଷ୍ଟେସନରେ ରହଣି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.