ମଦ ପିଇ ଥିବାରୁ ଚଳନ୍ତା ବସ୍‌ରୁ ଠେଲିଦେଲେ କଣ୍ଡକ୍ଟର, ଗୋଡ଼ରେ ଚଢ଼ିଗଲା ଚକା, ତାପରେ...

Published By : Prameya-News7 Bureau | April 13, 2021 IST

ଆନନ୍ଦପୁର, ୧୩/୦୪: କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯାତ୍ରୀ ମଦ ପିଇ ବସ୍‌ରେ ଯାତ୍ରା କରୁଥିବା ସମୟରେ ଚଳନ୍ତା ବସରୁ ତଳକୁ ଠେଲି ଦେଇଛନ୍ତି କଣ୍ଡକ୍ଟର । ଯାହାଫଳରେ ଯୁବକ ଜଣକଙ୍କ ଗୋଡ଼ରେ ବସ ଚକ ଚଢ଼ିଯାଇ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣା ଘଟାଇ ବସଟି ଦୃତଗତିରେ ସେହି ସ୍ଥାନଛାଡି ପଳାଇଛି । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ ଘଷିପୁରା ବାଇପାସ ନିକଟରେ ଏହି ଘଟଣା ଘଟିଛି । ଭୁବନେଶ୍ୱରରୁ କରଞ୍ଜିଆ ଯାଉଥିବା ଇନ୍ଦୁମତି ବସରେ ଘଟଗାଁ ଥାନା ବଡ଼ ଜାମପସି ଅଞ୍ଚଳର ଏକ ଟ୍ରକର ହେଲ୍ପର ଅଭିମନ୍ୟୁ ନାୟକ ଓ ତାଙ୍କ ସାଥି ଡ୍ରାଇଭର ପାଣିକୋଇଲିରୁ ବସିଥିଲେ । ସେମାନଙ୍କ ଟ୍ରକଟି ଖରାପ ଥିବାରୁ ବସ ଯୋଗେ ସେମାନେ ଗାଁକୁ ଯାଉଥିଲେ । ଅଭିମନ୍ୟୁ ମଦ ପିଇଥିବାରୁ ବସର କଣ୍ଡକ୍ଟରଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଘଷିପୁରା ନିକଟରେ ବସ କଣ୍ଡକ୍ଟର ତାଙ୍କୁ ବସରୁ ଓହ୍ଲାଇ ଦେଇ ପଳାଉଥିବା ସମୟରେ ସମ୍ପୃକ୍ତ ଯୁବକ ପୁନର୍ବାର ବସରେ ଯିବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ କଣ୍ଡକ୍ଟର ତାଙ୍କୁ ପେଲିଦେବାରୁ ଚଳନ୍ତା ବସଟି ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଘଷିପୁରା ଅଗ୍ନିଶମ ବାହିନୀ ତାଙ୍କୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ଘଟାଇ ବସଟି ଦ୍ରୁତ ବେଗରେ ଚମ୍ପଟ ମାରିଥିବା ବେଳେ  ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.