ବିମାନ ଟେକ୍ ଅଫ୍ ପୂର୍ବରୁ ଯାତ୍ରୀ କହିଲେ, ‘ମୁଁ କରୋନା ଆକ୍ରାନ୍ତ’ : ସମ୍ପୂର୍ଣ୍ଣ ବିମାନ ହୋଇଗଲା ଖାଲି
5/03/2021 at 8:06 PM

ନୂଆଦିଲ୍ଲୀ ୦୫/୦୩ : କରୋନା ମହାମାରୀ ସମୟରେ ବିଶ୍ବବାସୀ କୋଭିଡ୍ ଗାଇଡଲାଇନ ପାଳନ କରୁଛନ୍ତି । ଖାସ କରି ଟ୍ରେନ୍, ବିମାନ କିମ୍ବା ଯାନବାହନରେ ଯାତ୍ରା ସମୟରେ କୋଭିଡ୍ ଗାଇଡଲାଇନ୍ର କଡା ପାଳନ ପାଇଁ ନିର୍ଦେଶ ରହିଛି । ତେବେ ଦିଲ୍ଲୀରୁ ପୁଣେ ଯିବାକୁ ଥିବା ଏକ ବିମାନ ଟେକ୍ଅଫ୍ର ଠିକ୍ ପୂର୍ବରୁ ଜଣେ ଯାତ୍ରୀ କହିଥିଲେ ଯେ, ସେ କରୋନା ପଜିଟିଭ ଅଛନ୍ତି । ଏହା ପରେ ଉକ୍ତ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭାଳେଣୀ ପଡିଯାଇଥିଲା । ଏହା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଯାତ୍ରୀମାନଙ୍କୁ ବାହାରକୁ ଅଣିଥିଲେ ।
ସୂଚନା ଅନୁସାରେ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ପୁଣେ ଯିବାକୁ ଇଣ୍ଡିଗୋ ଫ୍ଲାଇଟ୍ ୬ଇ-୨୮୬ ଟେକ୍ଅଫ୍ କରିବାକୁ ଯାଉଥିଲା । ଉଡାଣ ଭରିବାର ମାତ୍ର କେଇ ମିନିଟ୍ ପୂର୍ବରୁ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କୁ କହିଥିଲେ ଯେ, ‘ସେ କରୋନାରେ ଆକ୍ରାନ୍ତ ଅଛନ୍ତି । ଏହା ସହିତ ସେ କହିଥିଲେ ବିମାନରେ ଯିବା ପୂର୍ବରୁ କୋଭିଡ୍ ଟେଷ୍ଟ କରିଥିଲେ ଯାହାର ରିପୋର୍ଟ ଏବେ ଆସିଛି ଏବଂ ପଜିଟିଭ ଥିବା ଜଣାପଡିଛି’ ।
ଯାତ୍ରୀଜଣକ ମହାରାଷ୍ଟ୍ର ଯିବାର ଥିଲା । ବୋଡିଂ କରିବା ପୂର୍ବରୁ ସେ ତାଙ୍କର RT-PCR ଟେଷ୍ଟ କରିଥିଲେ ଏବଂ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିଥିଲେ । କିନ୍ତୁ ବିମାନରେ ବସିସାରିବା ପରେ ତାଙ୍କର ରିପୋର୍ଟ ଆସିଥିଲା । ତେଣୁ ସଚେତନ ନାଗରିକ ଭାବେ ସେ ତୁରନ୍ତ କ୍ରୁ ସଦସ୍ୟଙ୍କୁ ଏ ବାବଦରେ ଜଣାଇଥିଲେ । ଏହା ପରେ ପାଇଲଟ ଟେକ୍ଅଫ୍ ନକରି ବିମାନରୁ ଯାତ୍ରୀମାନଙ୍କୁ ବାହାରକୁ ଆଣିବା ବ୍ୟବସ୍ଥା କରିଥିଲେ । ସଂକ୍ରମିତ ଯାତ୍ରୀଙ୍କ ତୁରନ୍ତ ହସ୍ବିଟାଲରେ ଭର୍ତ୍ତିକରାଯାଇଥିଲା ଏବଂ ବିମାନଟିକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇ ବିମାନ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।