‘ବିମାନରେ ଆତଙ୍କବାଦୀ ଅଛନ୍ତି’ ମେସେଜ୍ ଯୋଗୁଁ ବିମାନରେ ଆତଙ୍କ

Published By : Prameya-News7 Bureau | November 26, 2018 IST

କୋଲକତା ୨୬|୧୧:  ମୁମ୍ବାଇ ଆକ୍ରମଣ ଘଟଣାକୁ ୧୦ବର୍ଷ ପୂରିଥିବାବେଳେ କୋଲକତାରେ ଆତଙ୍କବାଦୀ ଅଛନ୍ତି ବୋଲି ମେସେଜ୍ ଟାଇପ୍ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ମୁମ୍ବାଇ ଯାଉଥିବା ବିମାନରେ ବସିଥିବା ଜଣେ ଯୁବକ ତାଙ୍କ ସାଙ୍ଗଙ୍କୁ ଥଟାମଜାରେ ବିମାନରେ ଆତଙ୍କବାଦୀ ଥିବା ମେସେଜ ପଠାଇଥିଲେ । ଯୁବକଙ୍କ ସହ ବସିଥିବା ଅନ୍ୟ ଜଣେ ଯାତ୍ରୀ ସେହି ମେସେଜଟି ଦେଖି କ୍ୟାବିନ୍ କ୍ରୁଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହା ପରେ ଯାତ୍ରୀ ଜଣଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ ଜେ ପୋଦାର ନାମକ ଯୁବକ ଜେଟ୍ ଏୟାରଓ୍ବେଜ୍ ର ଫ୍ଲାଇଟ୍ ୯ଡବ୍ଲୁ୪୭୨ରେ ମୁମ୍ବାଇ ଯିବା ପାଇଁ ୫ଜଣ ସାଙ୍ଗଙ୍କ ସହ ବିମାନରେ ଚଢିଥିଲେ । ନିଜ ସିଟ୍ ରେ ବସିବା ପରେ ସେ ରୁମାଲରେ ତାଙ୍କର ଅଧା ମୁହଁ ଘୋଡାଇଦେଇଥିଲେ ଏବଂ ତାଙ୍କ ଫୋନ୍ ରୁ ହ୍ବାଟସଆପରେ ମେସେଜ୍ ପଠାଇବା ଆରମ୍ଭ କରିଦେଇଥିଲେ । ପୋଦାରଙ୍କ ପାଖରେ ବସିଥିବା ଜଣେ ବ୍ରିଟିଶ ଯାତ୍ରୀଙ୍କୁ ପୋଦାରଙ୍କ ଗତିବିଧି ସନ୍ଦେହଜନକ ଲାଗିଥିଲା । ସେ ପଠାଉଥିବା ମେସେଜରେ ଗୋଟିଏ ମେସେଜ ବିମାନରେ ଆତଙ୍କବାଦୀ ଥିବା ଲେଖାଥିଲା । ଏହା ଦେଖି ଯାତ୍ରୀ ଜଣଙ୍କ ଏ ସୂଚନା କ୍ରୁ ମେମ୍ବରଙ୍କୁ ଦେଇଥିଲେ । କ୍ରୁ ମେମ୍ବର ପାଇଲଟକୁ ଏହାର ସୂଚନା ଦେଇଥିଲେ । ପାଇଲଟ ସ୍ଥାନୀୟ ଅଧିକାରୀଙ୍କୁ ଏହି ସୂଚନା ଦେଇଥିଲେ । ଏହାପରେ ବିମାନରେ ନିରାପତ୍ତା ତତ୍ପରାତା ଦେଖା ଦେଇଥିଲା। ବିମାନଟିକୁ ପାର୍କିଙ୍ଗ୍‌ ଓ୍ବେକୁ ଫେରାଇ ନେବାକୁ ସ୍ଥିର କରାଗଲା । ଏହାପରେ ବିମାନ ଭିତରକୁ ନିରାପତ୍ତା କର୍ମଚାରୀମାନେ ଆସି ଆତଙ୍କବାଦୀ ଅଛନ୍ତି ବୋଲି ମେସେଜ୍‌ ଟାଇପ୍‌ କରୁଥିବା ଯାତ୍ରୀ ଜଣଙ୍କୁ ଅଟକ ରଖାଯାଇ । ସିଆଇଏସଏଫ ଯୁବକଙ୍କୁ ଏ ସମ୍ବନ୍ଧରେ ପଚରାଉଚରା କରୁଛି ।  ଅନ୍ୟପଟେ ଯୁବକ ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ସାଙ୍ଗମାନଙ୍କୁ ବିମାନରେ ଆତଙ୍କବାଦୀ ଥିବା କଥା ମଜାରେ କହିଥିଲେ । ସୂଚନା ଅନୁସାରେ ଏଭଳି ମେସେଜ୍‌ ଯୋଗୁଁ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବରେ ବିମାନଟି ଉଡାଣ ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.