ବ୍ୟକ୍ତିଗତ ତଥ୍ୟ ଚୋରି ମାମଲା: ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଲେ ଯାତ୍ରୀ, ପଠାଇଲେ ନୋଟିସ୍‌

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୪/୦୭: ଏୟାର ଇଣ୍ଡିଆକୁ କ୍ଷତିପୂରଣ ମାଗିଲେ ମହିଳା ଯାତ୍ରୀ । ୪୫ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ମାମଲାରେ ମହିଳା କ୍ଷତିପୂରଣ ଦାବି କରିଛନ୍ତି । ତାଙ୍କର ଏବଂ ତାଙ୍କ ସ୍ବାମୀଙ୍କର ତଥ୍ୟ ମଧ୍ୟ ଚୋରି ହୋଇଛି। ଯାତ୍ରୀଙ୍କ ଓକିଲଙ୍କ ଅନୁସାରେ ରୀତିକା ହାଣ୍ଡୁ ରବିବାର ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଏକ ଆଇନଗତ ନୋଟିସ୍‌ ପଠାଇଛନ୍ତି। ଏଥିରେ ଜୁନ ପହିଲାରେ ତାଙ୍କର ଡାଟା ଲିକ୍‌ ହୋଇଥିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ତାଙ୍କୁ ସୂଚନା ମିଳିଥିଲା ବୋଲି ରୀତିକା ଲେଖିଛନ୍ତି।

ନିଜର ସୂଚନା ସମ୍ବନ୍ଧୀୟ ସ୍ବତନ୍ତ୍ରତାର ଉଲ୍ଲଂଘନ ଦର୍ଶାଇ ଯାତ୍ରୀ ଜଣଙ୍କ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ଏୟାର ଇଣ୍ଡିଆ ଦ୍ବାରା ପଠାଯାଇଥିବା ଇମେଲ୍‌ରେ ଉଲ୍ଲେଖ ଥିଲା, ଏୟାର ଇଣ୍ଡିଆର ଯାତ୍ରୀ ସେବା ପ୍ରଣାଳୀ ପ୍ରଦାନ କରୁଥିବା ଏସଆଇଟିଏ ଚଳିତବର୍ଷ ଫେବୃଆରୀରେ ସାଇବର ଆକ୍ରମଣର ଶିକାର ହୋଇଥିଲା। ଯେଉଁଥିରେ ବିଶ୍ବରେ ୪୫ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଥିଲା। ସେଥିରେ ଏୟାର ଇଣ୍ଡିଆ ଯାତ୍ରୀଙ୍କ ଡାଟା ମଧ୍ୟ ସାମିଲ ଅଛି।

ଏହା ସହ ୨୬ ଅଗଷ୍ଟ ୨୦୧୧ ଏବଂ ୨୦ ଫେବୃଆରୀ ୨୦୨୧ରେ ପଞ୍ଜିକୃତ ଡାଟା ଚୋରି ହୋଇଥିବା ନେଇ ଇମେଲ୍‌ କରିଥିଲା ଏୟାର ଇଣ୍ଡିଆ। ଦିଲ୍ଲୀରେ ସାମ୍ବାଦିକା ଭାବେ କାର୍ଯ୍ୟରତ ହାଣ୍ଡୁ ଏୟାର ଇଣ୍ଡିଆ ଜାଣିଶୁଣି ସମ୍ବେଦନଶୀଳ ତଥ୍ୟ ଲିକ୍‌ କରିଥିବା ନେଇ ଅଭିଯୋଗ କରିଛନ୍ତି।

ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, ଆପଣଙ୍କ ପାଖରୁ ଡାଟା ଚୋରିକୁ ନେଇ ମିଳିଥିବା ଇମେଲ୍‌ ମହକିଲଙ୍କୁ ବ୍ୟଥିତ କରିଛି। ବଡ଼ ଧରଣର ବ୍ୟକ୍ତିଗତ ଡାଟା ଲିକ୍‌ ହୋଇଛି। ଯେଉଁଥିରେ ସମ୍ବେଦନଶୀଳ ତଥ୍ୟ ମଧ୍ୟ ସାମିଲ ରହିଛି। ଏହା ସହ ମହକିଲଙ୍କ ଡାଟା ଚୋରି ହୋଇଥିବା ନେଇ ଆଶଙ୍କା ରହିଛି ବୋଲି ହାଣ୍ଡୁଙ୍କ ଓକିଲ ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.