ବିଧାନସଭା ଏବଂ ଲୋକସଭା ହାର ଜିତ ରିପୋର୍ଟକୁ ନେଇ ତର୍ଜମାରେ ମାତିଛନ୍ତି ସବୁ ଦଳ : ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ମିଶାଣ ଫେଡାଣ

Published By : Prameya-News7 Bureau | June 10, 2019 IST

ଭୁବନେଶ୍ବର ୧୦/୬: ସରିଲାଣି ନିର୍ବାଚନ, କିନ୍ତୁ ହାର ଜିତ୍ ର ପୋଷ୍ଟମର୍ଟମ ସରୁନି । ସବୁ ଦଳ ଏବେ ବି ବିଧାନସଭା ଓ ଲୋକସଭା ହାର ଜିତ୍ ରିପୋର୍ଟକୁ ନେଇ ମାତିଛନ୍ତି ତର୍ଜମାରେ । ନିର୍ଦ୍ଧିଷ୍ଟ କିଛି ନିର୍ବାଚନ ମଣ୍ଡଳୀରେ କାହିଁକି ଦଳ ହାରିଲା ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ମିଶାଣ ଫେଡାଣ କରୁଛନ୍ତି । ଲୋକସଭାରେ କିଭଳି ବିଜେପି ହାତକୁ ୮ ଟା ସିଟ୍ ଗଲା ଏବଂ ବିଧାନସଭାରେ ବି ଦଳ ଗତଥର ଅପେକ୍ଷା କାହିଁକି ସିଟ୍ ହରାଇଲା ତାଉପରେ ତର୍ଜମା ପାଇଁ ବିଜେଡି ସୁପ୍ରିମୋ ଯେଉଁ ରିପୋର୍ଟ ମାଗିଥିଲେ ଦଳର ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀ ରିପୋର୍ଟ ଦେଇ ସାରିଛନ୍ତି । ନବୀନ ଦିଲ୍ଲୀରୁ ଫେରି ରିପୋର୍ଟ ତର୍ଜମା କରିବା ପରେ ଦଳରେ ସାଂଗଠନିକ ପରିବର୍ତ୍ତନ ହେବ ।ବିଜେଡିର ଛାମୁଆ ସଂଗଠନ ମହିଳା, ଯୁବ, ଛାତ୍ର ଓ ଅନ୍ୟାନ ସଂଗଠନରେ ବଡଧରଣର ଅଦଳ ବଦଳ କରିବେ ନବୀନ । ନିର୍ବାଚନ ବେଳେ ଦଳ ପାଇଁ ଭଲକାମ କରିଥିବା ନେତାଙ୍କୁ ଦଳ ସଂଗଠନ ଓ ବିଭିନ୍ନ ନିଗମରେ ଥଇଥାନ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି । ଯେଉଁଠି ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସଠିକ କାମ କରିପାରି ନାହାଁନ୍ତି ସେମାନଙ୍କୁ ମଧ୍ୟ ବଦଳାଇବା ନିଷ୍ପତ୍ତି ହୋଇଛି ।

{"id":121867,"width":595,"height":382}

ବିଜେପି ମଧ୍ୟ ନିର୍ବାଚନରେ ଆଶାନୁରୂପ ସଫଳତା ପାଇନଥିବାରୁ ବିଧାନସଭା ଓାରି ପୋଷ୍ଟମର୍ଟମ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧୬ ଓ ୧୭ ଦୁଇଦିନ ଧରି ପ୍ରତି ଲୋକସଭା କ୍ଷେତ୍ରକୁ ୨ ଜଣ ଲେଖାଁଏ ପର୍ଯ୍ୟବେକ୍ଷକ ପଠାଇ ହାରଜିତ୍ ର ତର୍ଜମା କରିବ ଦଳ । ଏହାପରେ ଆରମ୍ଭ ହେବ ସାଂଗଠନିକ ଅଦଳ ବଦଳ ପ୍ରକ୍ରିୟା । ସେପଟେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ପୁରି ଯାଇଥିବାରୁ ବିଜେପି ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବଡଧରଣର ସାଂଗଠନିକ ଅଦଳ ବଦଳ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି । ସେହିଭଳି କଂଗ୍ରେସ ବି ସଂଗଠନକୁ ନେଇ ସିରିୟସ । ଏଥର ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ନେତାଙ୍କ ଭିତରେ ଭିଡା ଓଟରା ସଂଗଠନକୁ ସଜାଡିବାକୁ କଂଗ୍ରେସକୁ ବାଧ୍ୟ କରିଛି । ନିର୍ବାଚନ ଫଳ ସମୀକ୍ଷା ପାଇଁ ଦଳ ପକ୍ଷରୁ ଯେଉଁ ସବ୍ କମିଟି ଗଠିତ ହୋଇଛି ସେମାନେ ୩୦ ସୁଦ୍ଧା ରିପୋର୍ଟ ଦେଲେ ତାଉପରେ ତର୍ଜମା ହେବ । ସେପଟେ ପିସିସି ସଭାପତି ପରିବର୍ତ୍ତନ ପାଇଁ ବି ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି ।

{"id":121868,"width":595,"height":367}

ନିର୍ବାଚନ ସରିବା ପରେ ସମସ୍ତଙ୍କ ମୁଣ୍ଡରେ ଏବେ ସଂଗଠନ ଚିନ୍ତା । ଏତିକି ବେଳେ ପାଟକୁରା ନିର୍ବାଚନ ପାଇଁ ସମୟ ପହଞ୍ଚିଲାଣି । ମାସେ ଭିତରେ ପାଟକୁରା ନିର୍ବାଚନ ହେବ ବୋଲି କୁହାଯାଉଥିବାରୁ ସବୁଦଳ ସଂଗଠନ ସହ ନିର୍ବାଚନରେ ଫୋକସ ଦେବାକୁ ସଜବାଜ ହେଉଛନ୍ତି ।  

{"id":121869,"width":594,"height":344}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.