ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି, ଉତ୍ସବ-ବାହାଘର ଆଦିରେ ପୂର୍ବଭଳି କଟକଣା : ଦେଖନ୍ତୁ କେଉଁଠି କ'ଣ ଖୋଲା-କ'ଣ ବନ୍ଦ ତାଲିକା

Published By : Prameya-News7 Bureau | June 30, 2021 IST

ଭୁବନେଶ୍ୱର ୩୦।୬: ଯାହା ଆଶା କରାଯାଇଥିଲା ତାହା ହେଲାନି । ଜୁଲାଇ ମାସର କୋଭିଡ୍ ଗାଇଡ୍‌ଲାଇନ୍‌ରେ କିଛି ରିହାତି ମିଳିଲା କିନ୍ତୁ ଅନେକ କଟକଣା ଉଠିଲା ନାହିଁ । କୋଭିଡ୍‌କୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର କିଛି କୋହଳ ସହ ଆଂଶିକ ଲକ୍‌ଡାଉନ୍‌କୁ ବଢାଇ ଦେଇଛନ୍ତି । ରାଜ୍ୟକୁ ଦୁଇଟି ବର୍ଗରେ 'ଏ' ଏବଂ 'ବି'ରେ ଭାଗ ଭାଗ କରି କୋହଳ ନିୟମ ଲାଗି କରିଥିଲେ ବି ଅନେକ କଟକଣାକୁ ପୂର୍ବଭଳି ଜାରି ରଖିଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା ଅନୁଯାୟୀ ଜୁଲାଇ ୧୬ ସକାଳ ୬ଟା ଯାଏଁ ଆଂଶିକ ଲକ୍‌ଡାଉନ୍‌କୁ ବଢାଇ ଦିଆଯାଇଛି । ସାରା ରାଜ୍ୟ ପାଇଁ ଯେଉଁ କଟକଣା ବଳବତ୍ତର ରହିଛି ତାହା ହେଲା ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । କୌଣସିଠାରେ ସପିଂ ମଲ୍, ବିୟୁଟି ପାର୍ଲର, ସ୍ପା ଖୋଲିବ ନାହିଁ । ବିବାହ, ବ୍ରତଘର, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଜାରି ରହିଥିବା ନିର୍ଦ୍ଦେଶାବଳୀ ବଳବତ୍ତର ରହିବ । ତେବେ ସାରା ରାଜ୍ୟରେ ଚା' ଏବଂ ଉଠାଦୋକାନ ଆଦିକୁ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଦୋକାନ ଆଗରେ କେହି ଚା' ପିଇପାରିବେ ନାହିଁ କିମ୍ବା ଖାଦ୍ୟ ଖାଇପାରିବେନାହିଁ । ପାର୍ସଲ ନେଇପାରିବେ । ଏହା ବ୍ୟତୀତ ଅତ୍ୟାବଶକୀୟ ଜରୁରୀ ସେବା ପାଇଁ ପୂର୍ବନିର୍ଦ୍ଦେଶାବଳୀ କାଏମ ରହିବ ।

କାଟେଗୋରୀ 'ଏ'ରେ ଥିବା ୨୦ ଜିଲ୍ଲା ଭିତରେ ତଥା ସେହି ଜିଲ୍ଲାକୁ ଲାଗିଥିବା ସମାଜ କାଟେଗୋରୀ ଜିଲ୍ଲାଗୁଡିକ ମଧ୍ୟରେ ବସ୍ ସେବା ସହ ସର୍ବସାଧାରଣଙ୍କ ଗମନାଗମନ ପାଇଁ ଉଦ୍ଦିଷ୍ଟ ଯାନବାହାନ ଚଳାଚଳ ଚାଲୁ ହେବ । ତେବେ ତାହା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏହିସବୁ ଜିଲ୍ଲାରେ ଦୈନିକ ହାଟ, ବଜାର, ଛୋଟ ସେଲୁନ ଆଦି ଖୋଲା ରହିବ । ଇନଡୋର୍ ଏବଂ ଆଉଟଡୋର୍ ସିନେମା ସୁଟିଂକୁ ଅନୁମତି ରହିଛି । ବଡକଥା ହେଲା ଏହିସବୁ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି । ସେହିଦିନ ମଧ୍ୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନବଜାର ଖୋଲା ରହିବ ।

ସେହିଭଳି କାଟେଗୋରୀ ‘ବି’ରେ ଥିବା ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ପୂର୍ବଭଳି ଜାରି ରହିବ । କେବଳ ଆଉଟ୍‌ଡୋର୍ ସୁଟିଂକୁ ଅନୁମତି ମିଳିଥିବା ବେଳେ ଇନ୍‌ଡୋର୍ ସୁଟିଂ ହେବନାହିଁ । ବସ୍ ଏବଂ ପବ୍ଲିକ୍ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ସେଲୁନ ଖୋଲିବାକୁ ଅନୁମତି ଥିବା ବେଳେ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଦୋକାନବଜାର ଆଦିରେ କୋଭିଡ୍ ନିୟମ ଓ କଟକଣା ପାଳନ ବାଧ୍ୟତାମୂଳକ ଅଟେ । ନଚେତ୍ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.