୧୨ ଦିନ ପରେ ଘରକୁ ଫେରିଛି 'କୋକୋ', କୁଆଖିଆ ନଦୀ କୂଳରୁ ଉଦ୍ଧାର

Published By : Prameya-News7 Bureau | January 18, 2022 IST

କଟକ ୧୮/୦୧: ତୁଳସୀପୁର ମଧୁସୂଦନ ନଗରରୁ ନିଖୋଜ ହୋଇଯାଇଥିବା ଶୁଆ ‘କୋକୋ’ ତାର ଘରକୁ ଫେରିଛି । ଭୁବନେଶ୍ୱର କେଶୁରା କୁଆଖିଆ ନଦୀ କୂଳରୁ ଉଦ୍ଧାର କରାଯିବା ପରେ ଆଜି ‘କୋକୋ’ର ମାଲିକାଣୀ ତଥା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ ଏବଂ ଟେକ୍ନୋଲୋଜି (ନିଷ୍ଟ)ର ପ୍ରଫେସର ସୁସ୍ମିତା ବେହେରା ଚିହ୍ନଟ କରି ତାକୁ ଘରକୁ ଆଣିଛନ୍ତି ।

୧୨ ଦିନ ପରେ ‘କୋକୋ’କୁ ଦେଖିବା ପରେ ସୁସ୍ମିତା, ସ୍ୱାମୀ ଦୁର୍ଗେଶ ଏବଂ ପୁଅ ଧବମୁନ୍ୟୁ ଆତ୍ମବିଭୋର ହୋଇଯାଇଥିଲେ । ୧୨ ଦିନ ହେବ ଖିଆପିଆ କରିନଥିବାରୁ ‘କୋକୋ’ ଅସୁସ୍ଥ ହୋଇପଡ଼ିଥିବାରୁ ତାକୁ ଚିକିତ୍ସା କରିଥିଲେ । ଏବେ କୋକୋ ସୁସ୍ଥ ଥିବା ସୁସ୍ମିତା କହିଛନ୍ତି । ସୂଚନା ଥାଉକି, ଗତ ୫ ତାରିଖ ଦିନ ସୁସ୍ମିତାଙ୍କ ଘରକୁ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ଆସିଥିଲେ । ତାଙ୍କୁ ଦେଖି ‘କୋକୋ’ ଉଡ଼ି ପଳାଇଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ମିଳିନଥିଲା ।

ଏହାପରେ ସୁସ୍ମିତାଙ୍କ ପରିବାର ଲିଫ୍‌ଲେଟ୍‌ କରି ତୁଳସୀପୁରରେ ବାଣ୍ଟିଥିଲେ । ତଥାପି ନ ମିଳିବାରୁ ଖବରକାଗଜରେ ଲିଫ୍‌ଲେଟ୍‌ ବାଣ୍ଟିଥିଲେ । କୋକୋକୁ ଖୋଜିଦେଲେ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ । ଏ ବିଷୟରେ ଗତ ୧୫ ତାରିଖରେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିଲା । ସୁସ୍ମିତାଙ୍କ ପରିବାର ମଧ୍ୟ ରାତି ୪ଟାରୁ ଉଠି ଖୋଜାଖୋଜି କରୁଥିଲେ । ଠାକୁରଙ୍କୁ ଡାକୁଥିଲେ ।

ଅନ୍ୟପକ୍ଷରେ ମକର ସଂକ୍ରାନ୍ତି ଦିନ ଭୁବନେଶ୍ୱର କେଶୁରା କୁଆଖାଇ ନଦୀ କୂଳରେ ଥିବା ପୁରୁଣୀ ମା’ ମନ୍ଦିରରେ ପୂଜା ହେଉଥିଲା । ବର୍ଷାରେ ଓଦା ହୋଇ ‘କୋକୋ’ ସେହି ମନ୍ଦିର ପ୍ରାଙ୍ଗଣରେ ପଡ଼ିଥିଲା । ତାକୁ କେଶୁରାର ମନୋଜ କୁମାର ସ୍ୱାଇଁ ଏବଂ ଭଟ୍ଟ ସ୍ୱାଇଁ ପାଇ ଘରକୁ ନେଇଥିଲେ । ମନୋଜଙ୍କ ପତ୍ନୀ ମାମିନା ପ୍ରଧାନ ‘କୋକୋ’ର ନିରୁଦ୍ଦିଷ୍ଟ ଖବର ଦେଖିବା ପରେ ସୁସ୍ମିତାଙ୍କୁ ଖବର ଦେଇଥିଲେ । ଆଜି ସୁସ୍ମିତା ଏବଂ ତାଙ୍କ ପରିବାର ଯାଇ ‘କୋକୋ’କୁ ଚିହ୍ନଟ କରିଥିଲେ । ତେବେ ‘କୋକୋ’କୁ ପାଇବାରେ ଯେଉଁମାନେ ସହାୟତା କରିଛନ୍ତି ସମସ୍ତଙ୍କୁ ସୁସ୍ମିତାଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.