Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିୟୁଟି ପାର୍ଲରକୁ ଲକ୍‌ଡାଉନ୍‌ ଟେନ୍‌ସନ୍‌ : ସଟର ବନ୍ଦରୁ ବେପାର ନାହିଁ , ଫୋନ୍‌ରେ ବ୍ୟସ୍ତ କରୁଛନ୍ତି ଗ୍ରାହକ

16/04/2020 at 3:06 PM

ଭୁବନେଶ୍ୱର ୧୬।୦୪: କରୋନା ସଂକ୍ରମଣର ଭୟ ତା’ସାଙ୍ଗକୁ ଲକ୍‌ ଡାଉନ ପାଇଁ ଚିନ୍ତାରେ ପଡ଼ିଛନ୍ତି ବିୟୁଟି ପାର୍ଲର ମାଲିକମାନେ । ଅନେକ ଦିନ ହେବ ବିୟୁଟି ପାର୍ଲର ବନ୍ଦ ଥିବାରୁ କ୍ଷତି ସହୁଛନ୍ତି ପାର୍ଲର ବ୍ୟବସାୟୀ । ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିରେ ଛତୁ ଫୁଟିଲା ପରି ପାର୍ଲର ଦେଖିବାକୁ ମିଳେ । ରାଜଧାନୀରେ ଯେଉଁ ପରିମାଣରେ ଜନସଂଖ୍ୟା ବଢ଼ୁଛି ସେହି ପରିମାଣରେ ପାର୍ଲର ମଧ୍ୟ ଖୋଲୁଛି । କାରଣ ଅର୍ଥ ଉପାର୍ଜନ କରିବାର ପାର୍ଲର ଏକ ଭଲ ମାଧ୍ୟମ ଭାବେ ପ୍ରମାଣିତ ହୋଇଛି । ସେଥିପାଇଁ ରାଜଧାନୀରେ ଛୋଟ ପାର୍ଲର ଠାରୁ ଆରମ୍ଭ କରି ବହୁ ନାମୀଦାମୀ କମ୍ପାନୀର ପାର୍ଲର ଏଠାରେ କାୟାବିସ୍ତାର କରି ଭଲ ଦି ପଇସା ଅର୍ଥ ରୋଜଗାର କରିଥାଆନ୍ତି ।

ଲକ୍‌ ଡାଉନ ହେବା ଦିନରୁ ସଂକ୍ରମଣ ଭୟକୁ ନଜରରେ ରଖି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଥିବା ପାର୍ଲର ବନ୍ଦ ରହିଛି । ଯେଉଁଥି ପାଇଁ ପାର୍ଲର ବ୍ୟବସାୟୀଙ୍କ ଚିନ୍ତା ବଢ଼ି ଯାଇଛି । ପ୍ରତ୍ୟେକ ଦିନ ଆନୁମାନିକ ହିସାବ କଲେ ମଧ୍ୟମ ଧରଣର ପାର୍ଲରର ଦିନକ ଆୟ ୧୦ ହଜାରରୁ ଅଧିକ ହୋଇଥାଏ । ହେଲେ ଏବେ ପୂରା ବେପାର ଠପ୍‌ ହୋଇ ଯାଇଛି। ଏହି ବିଷୟରେ ରସୁଲଗଡ଼ରେ ଥିବା ହେୟାର ହାକ୍‌ର ପାର୍ଲର ମାଲିକ ଜିତେନ୍ଦ୍ର ଠାକୁରଙ୍କ ସହ କଥା ହେବାରୁ ସେ କହିଥିଲେ, ପ୍ରତ୍ୟେକ ଦିନ ଆମେ ବହୁ ପରିମାଣରେ କ୍ଷତି ସହୁଛୁ । ଆମ ପାର୍ଲରେ କଲିକତା ଓ ଅନ୍ୟ ରାଜ୍ୟର ଏକ୍ସପର୍ଟମାନେ ଆସି କାମ କରନ୍ତି । ସେମାନେ ଲକ୍‌ ଡାଉନ ପାଇଁ ଫସିକି ଅଛନ୍ତି । ତାଙ୍କର ରହିବା ଖାଇବା ସହିତ ଘରଭଡ଼ା କଥା ବୁଝିବାକୁ ପଡ଼ୁଛି । ତା’ସହିତ ଲକ୍‌ ଡାଉନର ଅବଧି ଧୀରେ ଧୀରେ ବଢ଼ୁଛି । କିଛି ଦିନ କଥା ଭାବି ଆମେ ଚଳେଇ ଦେଉଥିଲୁ ହେଲେ ଏବେ ଲକ୍‌ ଡାଉନ ବଢ଼ିବାରେ ଲାଗିଛି । ଏତେ ଦିନ ବନ୍ଦ ହେବା କାରଣରୁ ଆମର କ୍ଷତି ହେଉଛି । ରୋଜଗାରର ଗୋଟିଏ ମାଧ୍ୟମ ଥିଲା ପାର୍ଲର । ଏବେ ସେଇଟା ବନ୍ଦ ହେଇଯାଇଛି । ଏତେ ଦିନ ବିନା ରୋଜଗାରରେ ପାର୍ଲର କର୍ମଚାରୀଙ୍କ ଦରମା ସହ ରହିବା ଖାଇବା ବନ୍ଦୋବସ୍ତ କରିବା ଚିନ୍ତାର ବିଷୟ ହେଲାଣି ।

କିଛି ଦିନ ପୂର୍ବରୁ ହଠାତ୍‌ ପାର୍ଲର ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ମଧ୍ୟ ଥିଲା । କିନ୍ତୁ ହଠାତ୍‌ ବନ୍ଦ ହେବା ଯୋଗୁ କ୍ଲାଇଣ୍ଟମାନେ ବି ଅସୁବିଧା ଭୋଗୁଛନ୍ତି । କାରଣ କିଛି ଗ୍ରାହକ ତା’ ପୂର୍ବରୁ କେଶର ଷ୍ଟ୍ରେଟନିଙ୍ଗ ଓ ଅନ୍ୟ ସେବା ନେଇ ଥିଲେ । ଯେଉଁଥିପାଇଁ ତାଙ୍କୁ ଏକମାସ ବ୍ୟବଧାନରେ ଆଉ ଥରେ ପାର୍ଲର ଆସିବାକୁ ପଡ଼ିଥାଆନ୍ତା । କିନ୍ତୁ ସେମାନେ ଆସି ପାରୁ ନାହାନ୍ତି, ବାରମ୍ବାର ଫୋନ୍‌ କରି ତାଙ୍କ ସହ ଆମକୁ ଚିନ୍ତାରେ ପକାଉଥିବା କୁହନ୍ତି ଶ୍ରୀ ଜିତେନ୍ଦ୍ର । ଏପରି ଅବସ୍ଥା ଖାଲି ଏହି ପାର୍ଲରର ନୁହେଁ ସହରରେ ଥିବା ଏମିତି ଅନେକ ପାର୍ଲର ବ୍ୟବସାୟୀଙ୍କର ହେଉଛି । ଯେଉଁଥି ପାଇଁ ସେମାନଙ୍କ ମୁଣ୍ଡରେ ଚଡ଼କ ପିଡ଼ିଛି ।

ଖାଲି ପାର୍ଲର ବ୍ୟବସାୟୀ ନୁହନ୍ତି, ପାର୍ଲର ବନ୍ଦ ହେବା କାରଣରୁ ମହିଳାମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କାହାର ଆଇବ୍ରୋ ବଢ଼ି ଗଲାଣି ତ ଆଉ କାହାର ଷ୍ଟ୍ରେଟନିଙ୍ଗ ଖରାପ୍‌ ହେବାରେ ଲାଗିଲାଣି । ମହିଳା ଓ ଝିଅମାନଙ୍କ ସମସ୍ୟା ଏମିତି ଅନେକ ସମସ୍ୟା ବିଷୟରେ ଶୁଣୁଛନ୍ତି ପାର୍ଲର ବ୍ୟବସାୟୀମାନେ । ଏଥିପାଇଁ ପ୍ରତ୍ୟେକ ଦିନ ପାର୍ଲର ମାଲିକଙ୍କ ପାଖକୁ କଲ୍‌ ଆସୁଛି । କିଏ ଘରକୁ ଡାକୁଥିବା ବେଳେ ଆଉ କେହି ଯେକୌଣସି ଉପାୟରେ ପାର୍ଲର ଖୋଲି ସେବା ଦେବାକୁ ବାଧ୍ୟ କରୁଛନ୍ତି । ସେହିପରି ରାଜଧାନୀର ଗଳିକନ୍ଦିରେ ଛୋଟିଆ ପାର୍ଲର ଖୋଲି ଘର ଚଳଉଥିବା ମହିଳାଙ୍କ ମଧ୍ୟ ସମାନ ଅବସ୍ଥା । ବହୁ ଦିନ ହେବ ସେମାନଙ୍କ ପାର୍ଲର ବନ୍ଦ ଥିବା କାରଣରୁ ଦୁଇ ପଇସା ରୋଜଗାର ହୋଇ ପାରୁନି ।

   Related Posts