ଜାନୁୟାରୀ ୨୯ରୁ ସଂସଦରେ ବଜେଟ୍ ଅଧିବେଶନ, ଫେବୃୟାରୀ ୧ରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
14/01/2021 at 9:34 PM

ନୂଆଦିଲ୍ଲୀ ୧୪/୦୧ : ସଂସଦରେ ବଜେଟ୍ ଅଧିବେଶନ ଆସନ୍ତା ଜାନୁୟାରୀ ୨୯ରୁ ଆରମ୍ଭ ହେବାକୁଯାଉଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତୀରମଣ ଫେବୃୟାରୀରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଅଧିବେଶନର ପ୍ରଥମ ସେସନ୍୨୯ ଜାନୁୟାରୀରୁ ୧୫ ଫେବୃୟାରୀ ଏବଂ ଦ୍ବିତୀୟ ସେସନ୍ ୮ ମାର୍ଚ୍ଚରୁ ୮ ଏପ୍ରିଲ ଯାଏଁ ଚାଲିବ ।
୧୭ତମ ଲୋକସଭାର ପଞ୍ଚମ ଅଧିବେସନରେ ମୋଟ ୩୫ଟି ସିଟିଂ ରହିବ । ପ୍ରଥମ ପର୍ଯ୍ୟାୟରେ ୧୧ ଏବଂ ଦ୍ବିତୀୟ ପର୍ଯ୍ୟାୟାରେ ୨୪ଟି କାର୍ଯ୍ୟଦିବସ ରହିବ ବୋଲି ସ୍ଥିର କରାଯାଇଛି । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁୟାରୀ ୨୯ ତାରିଖ ସକାଳ ୧୧ଟାରେ ସଂସଦର ଦୁଇ ସଦନ ରାଜ୍ୟସଭା ଏବଂ ଲୋକସଭାକୁ ସମ୍ବୋଧିତ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ ତାରିଖ ସକାଳ ୧୧ଟା ବେଳେ କେନ୍ଦ୍ରୀୟ ଅର୍ଥ ବଜେଟ୍ ଉପସ୍ଥାପନ କରିବେ ।
କରୋନା ମହାମାରୀ କାରଣରୁ ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ହୋଇପାରିନଥିଲା । କେନ୍ଦ୍ର ସରକାର କହିଥିଲେ, ଦେଶରେ କରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇଥିବାରୁ ଶୀତକାଳୀନ ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବିରୋଧୀମାନେ ଏହାକୁ ଏକ ଚକ୍ରାନ୍ତ ବୋଲି କହିବା ସହ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସରକାର ବନ୍ଦ କରିଦେଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥଲେ ମୁଖ୍ୟ ବିରୋଧି କଂଗ୍ରେସ ସମେତ ବିଭିନ୍ନ ଦଳ ।
ତେବେ ଆସନ୍ତା ବଜେଟ୍ ଅଧିବେସନରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ବିଶେଷ କରି କରୋନାରେ ଧୂଳିସାତ ହୋଇଯାଇଥିବା ଦେଶର ଅର୍ଥନୀତିକୁ ଇନ୍ଧନ ଦେବା ଏବଂ ବିଭିନ୍ନ କ୍ଷେତ୍ରରେ ରୋଜଗାର ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇପାରେ । ଆତ୍ମ ନିର୍ଭର ଭାରତ ଯୋଜନା ଅଧିନରେ ଏମଏସଏମଇ କ୍ଷେତ୍ରକୁ ବ୍ୟାପକ କରାଯିବାକୁ ଯୋଜନା ମଧ୍ୟ ହୋଇପାରେ ।