ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ବିରୋଧୀଙ୍କ ହାତରେ ପୁଳା ପୁଳା ପ୍ରସଙ୍ଗ, ମୁକାବିଲା ପାଇଁ ସରକାର ବି ପ୍ରସ୍ତୁତ
18/11/2019 at 8:30 AM

ନୂଆଦିଲ୍ଲୀ ୧୮।୧୧: ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଛି । ନଭେମ୍ବର ୧୮ରୁ ଡିସେମ୍ବର ୧୩ ଯାଏଁ ଚାଲିବା ଏହି ଅଧିବେଶନ । ଏହି ଅଧିବେଶନରେ ସରକାର ୨୨ଟି ବିଲ୍ ଆଗତ କରିବା ସହ ସମସ୍ତ ବିଲକୁ ଗୃହୀତ କରିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଆର୍ଥିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏହା ପୂର୍ବରୁ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳମାନେ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିବା ପ୍ରଶ୍ନ କରିଥିଲେ। ଫାରୁକ ହେପାଜତରେ ଥିବାରୁ ସେ କେଉଁଭଳି ଭାବେ ଅଧିବେଶନରେ ଯୋଗ ଦେବେ ଏହା ସରକାର ସୁନିଶ୍ଚିତ କରାନ୍ତୁ ବୋଲି ବିରୋଧୀମାନେ ଦାବି କରିଥିଲେ।
ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସଂସଦରେ ଉଠାଇବାକୁ ପ୍ରସ୍ତୁତ ରହିଛନ୍ତି । ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଉପରେ ଚାପ ପକାଇ ଦାବି ପୂରଣ ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ମାଓପ୍ରଭାବିତ ଅଞ୍ଚଳଠୁ ଆରମ୍ଭ କରି ଉପାନ୍ତ ପର୍ଯ୍ୟନ୍ତ ରାଜ୍ୟରେ ବହୁ ଦୁର୍ଗମ ସ୍ଥାନକୁ ବ୍ୟାଙ୍କ ଓ ଟେଲିଫୋନ ସେବା ନାହିଁ । ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ବ୍ୟାଙ୍କିଂ ଓ ଟେଲିଯୋଗାଯୋଗ ବ୍ୟବସ୍ଥାକୁ କିପରି ଅଧିକ ବ୍ୟାପକ କରାଯିବ ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । ଏଥର ଏହି ପ୍ରସଙ୍ଗ ଉଠାଇବ ବିଜେଡି । ରାଜ୍ୟର ୪୯୦୦ ପଞ୍ଚାୟତରେ ବ୍ୟାଙ୍କ ସେବା ଉପଲବ୍ଧ ନାହିଁ । ସଂସଦରେ ବିଜେଡ଼ି ସଭ୍ୟମାନେ ଏସବୁ ପ୍ରସଙ୍ଗକୁ ଅଗ୍ରାଧିକାର ଭିତ୍ତିରେ ଉଠାଇବେ ।
ପୂର୍ବରୁ କେନ୍ଦ୍ର ଦ୍ବାରା ଚିହ୍ନିତ ୧୭ଟି ପ୍ରସିଦ୍ଧ ଐତିହ୍ୟଭରା ପର୍ଯ୍ୟଟନ ସ୍ଥଳୀ ଭିତରେ ଓଡ଼ିଶାର ନାମ ନ ଥିବାବେଳେ ଏଥିରେ ଓଡ଼ିଶାର ଅନ୍ତତଃ ଦୁଇଟି ପର୍ଯ୍ୟଟନସ୍ଥଳୀକୁ ସ୍ଥାନିତ କରିବା, ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଉଡ଼ାଣ ବ୍ୟବସ୍ଥା, ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ଦିଗରେ ମଧ୍ୟ ବିଜେଡି ପକ୍ଷରୁ ସଂସଦରେ ଦାବି ଉପସ୍ଥାପନ କରାଯିବ । ଏଥିସହିତ ଜିଲା ଖଣିଜ ପାଣ୍ଠି ଉପରୁ ଆୟକର ଛାଡ଼, ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଏବଂ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ରାୟ ଆଧାରରେ ଡ଼ିଜାଇନ ବଦଳାଇବା, ସିବିଏସଇ ଫି ବୃଦ୍ଧି ପ୍ରସ୍ତାବପ୍ରତ୍ୟାହାର କରିବା ଉପରେ ଦଳ ଦାବି ଉଠାଇବ ବୋଲି ଜଣାପଡିଛି ।