ମୌସୁମୀ ଅଧିବେଶନରେ ୩୦ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, ଓଡ଼ିଶାର ପ୍ରସଙ୍ଗ ଉଠାଇବା ପାଇଁ ସଦସ୍ୟ ସଜବାଜ

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ, ୧୮/୦୭: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଆରମ୍ଭ ହେବାକୁ ଯାଉଛି ଅଧିବେଶନ। ତଣୁ ଏହା ଫୋକସ୍‌ରେ ରହିଛି । ଯେ ସେପଟେ କୋଭିଡ ପରିଚାଳନା ଏବଂ ଦର ବୃଦ୍ଧିକୁ ନେଇ ବିରୋଧୀ ଖଡ଼ଗ ହସ୍ତ ଅଛନ୍ତି। ସେପଟେ ଓଡ଼ିଶାର ପ୍ରସଙ୍ଗ ଉଠାଇବା ଲାଗି ସଜବାଜ ହେଉଛନ୍ତି ମାନ୍ୟବର ସଦସ୍ୟ ମାନେ।

କୋଭିଡ କଟକଣା ଭିତରେ ହେବ ମୌସୁମୀ ଅଧିବେଶନ।  ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ ।  ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡାକିଥିବା ଏହି ବୈଠକରେ ୩୩ଟି ରାଜନୈତିକ ଦଳରୁ ୪୦ ଜଣ ନେତା ଯୋଗ ଦେଇଥିଲେ। । ଗୃହ ଶାନ୍ତି ଶୃଙ୍ଖଳାର ସହ ଚାଲିବା ପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି । ବୈଠକରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବୈଠକରେ ସବୁ ଦଳର ପ୍ରତିନିଧି ବିଶେଷ କରି ବିରୋଧୀଙ୍କ ପରାମର୍ଶ ବେଶ୍ ଗୁରୁତ୍ବପୂର୍ଣ୍ଣ। ସଂସଦରେ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ହେବା ଆବଶ୍ୟକ।

ଏହି ଅଧିବେଶନରେ ସରକାର ୩୦ଟି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। ସେପଟେ ବିରୋଧୀ ସରକାରଙ୍କୁ ଘେରିବାକୁ  ଅପେକ୍ଷା କରି ରହିଛନ୍ତି । ସରକାରଙ୍କ କୋଭିଡ ପରିଚାଳନା ନୀତିକୁ କଂଗ୍ରେସ ସମାଲୋଚନା କରିଆସିଛି । ସେହିପରି ଦରଦାମ ବୃଦ୍ଧି ବିଶେଷ କରି ତୈଳ ଓ ଗ୍ୟାସଦର ବୃଦ୍ଧିକୁ ପ୍ରସଙ୍ଗ କରିବାକୁ ଛକିଛନ୍ତି ବିରୋଧୀ ।

ମନ୍ତ୍ରିମଣ୍ଡଳ ସଂପ୍ରାସରଣ ପରେ ଏହା ପ୍ରଥମ ଅଧିବେଶନ ହେବାକୁ ଯାଉଛି। ବିଶେଷ କରି ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ବେଶ୍ବର ଟୁଡୁଙ୍କୁ ମନ୍ତ୍ରିମଣ୍ଡଳରେ ଭିନ୍ନ ଭିନ୍ନ ଦାୟିତ୍ବ ମିଳିବା ପରେ ଓଡିଶାର ଆଶା ବଢ଼ିଛି। ଏଥର ଅଧିବେଶନରେ ଓଡ଼ିଶାର କିଛି ପ୍ରମୁଖ ପ୍ରସଙ୍ଗ ଉଠାଇବା ଲାଗି ସଜବାଜ ହେଉଛନ୍ତି ମାନ୍ୟବର ସଦସ୍ୟ । ଧାନ ପ୍ରସଙ୍ଗ ଉଠାଇବ ବିଜେପି, କେନ୍ଦ୍ର ଅବହେଳା ଓ ଚାଉଳ ସଂଗ୍ରହରେ ଟାଳଟୁଳ ନୀତି କଥା ଉଠାଇବ ବିଜେଡି । କେନ୍ଦ୍ର ରାଜ୍ୟକୁ ପ୍ରୋଭିଜିନାଲ ସବସିଡି ବାବଦରେ ୫ ହଜାର ୧୨୦ କୋଟି ଅର୍ଥ ବାକି ରଖିଥିବା କଥା ମଧ୍ୟ ବିଜେଡି ଉଠାଇବ । ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଜୁଲାଇ ୧୯ରୁ ଅଗଷ୍ଟ ୧୩ ଯାଏ ଚାଲିବ ମୌସୁମୀ ଅଧିବେଶନ। ଆସନ୍ତାକାଲି ଠାରୁ ଉଭୟ ଲୋକସଭା ଓ ରାଜ୍ୟସଭା ସକାଳ ୧୦ରୁ ସଂଧ୍ୟା ୬ଟା ଯାଏଁ କାର୍ଯ୍ୟ କରିବ। କୋଭିଡ କଟକଣା ମଧ୍ୟରେ ସଦସ୍ୟମାନଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.