ମହଙ୍ଗା ହେବ ପାର୍କିଂ ଫି: ନୂଆବର୍ଷରେ ଲାଗୁ ହେବ ନୂଆ ନିୟମ, ଏଣିକି ଫିକ୍ସ ରେଟ୍ ନୁହେଁ ସମୟ ଆଉ ଅଞ୍ଚଳ ଅନୁସାରେ ଦେବାକୁ ପଡିବ ଫି
25/11/2020 at 9:59 PM

ଭୁବନେଶ୍ଵର ୨୫।୧୧: ମହଙ୍ଗା ହେବ ପାର୍କିଂ ଫି। ନୂଆବର୍ଷରେ ଲାଗୁ ହେବ ନୂଆ ନିୟମ। ଏଣିକି ଫିକ୍ସ ରେଟ ନୁହେଁ ସମୟ ଆଉ ଅଞ୍ଚଳ ଅନୁସାରେ ଦେବାକୁ ପଡିବ ପାର୍କିଂ ଫି। ଏନେଇ ବିଏମସି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଟେଣ୍ଡର ପ୍ରକ୍ରିୟା ଶେଷ ପରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିଏମସି କମିଶନର। ନୂଆ ପଲିସିକୁ ନେଇ ଗାଡି ଚାଳକ ଓ ଟେଣ୍ଡର ଆବେଦନକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା।
ମହଙ୍ଗା ହେବ ପାର୍କିଂ ଫି। ସମୟ ଆଉ ସ୍ଥାନ ଅନୁସାରେ ଦେବାକୁ ପଡିବ ଅଧିକ ଫି। ଅର୍ଥାତ ମାର୍କେଟ ଵିଲ୍ଡିଂ, ସହିଦନଗର, ଆଇଡ଼ି ମାର୍କେଟ ଭଳି ପ୍ରମୁଖ ଅଞ୍ଚଳରେ ଦେବାକୁ ପଡିବ ଅଧିକ ଫି। ଆଉ ଆଭ୍ୟନ୍ତରୀଣ ରାସ୍ତା ପାଇଁ କମ ରହିବ ଫି। ବିନା କାରଣରେ ଘଣ୍ଟା ଘଣ୍ଟା ଧରି ଗାଡି ପାର୍କିଂ ସହ ଭିଡ଼ ନିୟନ୍ତ୍ରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ପରେ ନୂଆ ନିୟମ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରଖିଛି ବିଏମସି। ପୂର୍ବରୁ ବାଇକ ପାଇଁ ୫ ଟଙ୍କା ଓ କାର ପାର୍କିଂ ପାଇଁ ୨୦ ଟଙ୍କା ଦେଇ ଘଣ୍ଟା ଘଣ୍ଟା ଧରି ପାର୍କିଂ କରିହେଉଥିଲା । ଏଥିପାଇଁ କୌଣସି ନିୟମ ନଥିଲା ।

କିନ୍ତୁ ନୂଆ ନିୟମ ଅନୁସାରେ ଦୁଇ ଚକିଆ ଯାନ ପାଇଁ ୨ ଘଣ୍ଟାକୁ ୫ ଟଙ୍କା, ୨ ରୁ ୩ ଘଣ୍ଟାକୁ ୧୫ ଟଙ୍କା, ୩ ରୁ ୪ ଘଣ୍ଟାକୁ ୨୫ ଟଙ୍କା, ୫ ଘଣ୍ଟା ଯାଏ ୩୫ ଟଙ୍କା ଦେବାକୁ ପଡିବ। ସେହିପରି ୪ ଚକିଆ ଯାନ ପାଇଁ ପ୍ରଥମ ୨ ଘଣ୍ଟାକୁ ୨୦ ଟଙ୍କା, ପରବର୍ତ୍ତୀ ସମୟରେ କ୍ରମଶଃ ୪୦,୬୦, ୮୦ ଟଙ୍କା ଦେବାକୁ ପଡିବ। ଏଥିପାଇଁ ପାର୍କିଂ ସ୍ଥଳୀର ଭିତ୍ତି ଭୂମି ସଜାଡୁଛି ବିଏମସି ।
ବର୍ତ୍ତମାନ ପରିସ୍ଥିତିରେ ଜନପଥ ରୋଡ଼ ମାନେ ବାଣୀବିହାରଠୁ ଶିଶୁ ଭବନ ଛକ ଯାଏ ଗାଡି ପାର୍କିଂ ପାଇଁ ବହୁ ଅସୁବିଧା ସୃଷ୍ଟି ହେଉଛି । ତେଣୁ ଜନପଥ ରୋଡ଼ ରେ ପାର୍କିଂ କୁ ସହଜ ସରଳ କରିବା ପାଇଁ ବିଡିଏ ଦୁଇଟି ଏମଲସିପି ବା ମଲ୍ଟି ଲେବେଲ କାର ପାର୍କିଂ ସହିଦ ନଗର ଓ ୟୁନିଟ ୨ ରେ ନିର୍ମାଣ ଚାଲିଛି ।

ଯାହାବି ହେଉ ନୂଆ ନିୟମକୁ ନେଇ ଗାଡି ଚାଳକ ଓ ଟେଣ୍ଡର ଆବେଦନକାରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ମତ ଦେଇଛନ୍ତି ଭଲ ତ ଆଉ କିଛି ଲୋକଙ୍କ ମତରେ ନୂଆ ପଲିସି ଯୋଗୁଁ ଗାଡି ମାଲିକ କ୍ଷତି ସହିବେ ବୋଲି କହିଛନ୍ତି କିଛି ଭୁବନେଶ୍ୱର ବାସିନ୍ଦା । ପ୍ରଥମେ ପାର୍କିଂସ୍ଥଳକୁ ବ୍ୟବସ୍ଥିତ କରାଯାଉ। ପରେ ଫି ବଢାଯାଉ ବୋଲି ଟେଣ୍ଡରଧାରୀ କହିଛନ୍ତି।
ଟ୍ରାଫିକ ନିୟନ୍ତ୍ରଣ ସହ ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ ବିଏମସି ପକ୍ଷରୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ତେବେ ଏହାର ସଫଳ କାର୍ଯ୍ୟକ୍ଷମ ଉପରେ ରହିଛି ସମସ୍ତଙ୍କ ନଜର।