ରାଜଧାନୀରେ ପାର୍କିଂ ଫି ବ୍ୟବସ୍ଥା ବନ୍ଦ ହେବନି, ବନ୍ଦ ହେବ ତ କେବଳ ବେଆଇନ୍ ପାର୍କିଂ ଫି ଆଦାୟ

Published By : Prameya-News7 Bureau | October 17, 2019 IST

ଭୁବନେଶ୍ବରରେ ପାର୍କିଂ ଫି ବ୍ୟବସ୍ଥା ବନ୍ଦ ହେବ ବୋଲି ଗତକାଲିଠୁ ଯେଉଁ ହୋ-ହଲ୍ଲା ଚାଲିଛି ତା’ର ବାସ୍ତବ ଚିତ୍ର ଲୋକେ ବୁଝିବା ଦରକାର । ଯେଉଁମାନେ ରାଜଧାନୀରେ ପାର୍କିଂ ଫିକୁ ନେଇ ନୟାନ୍ତ ହେଉଛନ୍ତି ସେମାନେ ଏଥିରେ ଖୁସି ହେବାର କୌଣସି କାରଣ ନାହିଁ । କାହିଁକି ନା ପାର୍କିଂ ଫି ବ୍ୟବସ୍ଥା ବନ୍ଦ ହେବନି, ବନ୍ଦ ହେବ ତ କେବଳ ବେଆଇନ୍ ପାର୍କିଂ ଫି ଆଦାୟ । ତେବେ ଏଭଳି ଘୋଷଣା ପରେ ବି ଲୋକଙ୍କ ମନରେ ରହିଛି ଅନେକ ଦ୍ବନ୍ଦ୍ବ ।
ଭୁବନେଶ୍ବରରେ ବନ୍ଦ ହେବନି ପାର୍କିଂ ଫି ବ୍ୟବସ୍ଥା । କେବଳ ବେଆଇନ୍ ପାର୍କିଂ ଫି ଆଦାୟ ଉପରେ ଲାଗିଛି ରୋକ୍ । ସପିଂ ମଲ, ମଲ୍ଟିପ୍ଲେକ୍ସ, ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ପାର୍କିଂ ଏରିଆରେ କେହି ପାର୍କିଂ ଫି ନେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ହେଲେ ଏହା ବାଦ୍ ବିଏମସି ପାର୍କିଂ ଏରିଆରୁ ଯେମିତି ପାର୍କିଂ ଫି ଆଦାୟ ହେଉଥିଲା ତାହା ଜାରି ରହିବ । ଅନଧିକୃତ ପାର୍କିଂ ଫି ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଆପାର୍ଟମେଣ୍ଟ ଏବଂ ହାଉସିଂ ପ୍ରୋଜେକ୍ଟ ଭଳି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ ବେଳେ ଏଥିରେ ପାର୍କିଂ ବ୍ୟବସ୍ଥା ରଖିବାକୁ ବିଡିଏ ଗାଇଡ୍ଲାଇନ୍‌ରେ ସ୍ପଷ୍ଟ ହୋଇଥିବାରୁ ନିୟମ ଉଲଂଘନକାରୀଙ୍କ ଉପରେ ରୋକ୍ ଲଗାଇଛି ବିଡିଏ । ହେଲେ ମଲ ବାହାରେ ଥିବା ବିଏମସି ପାର୍କିଂ ଏରିଆରେ ଗାଡ଼ି ରଖିଲେ ଲୋକଙ୍କୁ ପାର୍କିଂ ଫି ଦେବାକୁ ପଡ଼ିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ସେପଟେ ମଲଗୁଡ଼ିକର ପାର୍କିଂ ଏରିଆ ବାଦ୍ ଚାରିପାଖରେ ନିଆଯାଇଥିବା ଯାଗାରେ ଗାଡ଼ି ପାର୍କିଂ କରାଇ ଫି ନେବା ଉପରେ କେମିତି କଟକଣା କରାଯାଇପାରିବ ସେ ନେଇ କିଛି ବି ସ୍ପଷ୍ଟ କରାଯାଇନି । ଯାହାକୁ ନେଇ ଉଠିଛି ଦ୍ବନ୍ଦ୍ବ । ସେପଟେ ବିଏମସି ପାର୍କିଂ ଏରିଆ ଆଳରେ ରାଜଧାନୀର ଅଧିକାଂଶ ଯାଗାରେ ବେଧଡ଼କ ରିସିପ୍ଟ କାଟୁଛନ୍ତି ବେଆଇନ୍ ପାର୍କିଂ ଫି ଆଦାୟକାରୀ । ଏମିତିରେ କେଉଁ ଠା ଅଧିକୃତ ଆଉ କେଉଁ ଠା ଅନଧିକୃତ ତାହା ଜାଣିବା ମୁସକିଲ୍ ।
ରାଜଧାନୀରେ ଯୁଆଡ଼େ ଗଲେ ଗାଡ଼ି ରଖିବାକୁ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯୋଉଠି ଗାଡ଼ି ଠିଆ କଲେ ସେଠି କିଛି ଯୁବକ ରିସିପ୍ଟ ବୁକ୍ ଧରି ମାଡ଼ି ଆସୁଛନ୍ତି । ଆଉ ପାର୍କିଂ ଫି ଦାବି କରୁଛନ୍ତି । ଏମିତି କି ବିଭିନ୍ନ ଡାକ୍ତରଖାନା ସାମ୍ନାରେ ମଧ୍ୟ ପାର୍କିଂ ଫି ଆଦାୟକାରୀଙ୍କ ଦୌରାତ୍ମ୍ୟ ସୀମା ଟପୁଛି । ତେଣୁ ଏହା ଉପରେ ଗୋଟେ ସ୍ପଷ୍ଟ ଚିତ୍ର ଲୋକଙ୍କ ସାମ୍ନାକୁ ଅଣାଯିବା ଦରକାର । ଆଉ କେଉଁଠି କେତେ ପାର୍କିଂ ଦେବାକୁ ପଡ଼ିବ ଆଉ କାହାକୁ ଦେବାକୁ ପଡ଼ିବ ତା’ର ପୂରା ବିବରଣୀ ଲେଖା ବୋର୍ଡ଼ ମରାଯିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.