ଗିରଫ ହେବା ପରେ ପରିସ୍ରା ବାହାନାରେ ଖସି ପଳାଉଥିଲେ ମଦ ବେପାରୀ, ଧରିଲେ ଅବକାରୀ କର୍ମଚାରୀ

Published By : Prameya-News7 Bureau | May 11, 2021 IST

ମୋରଡା, ୧୧/୦୫: ଲକଡାଉନରେ ଥମୁନି ଦେଶୀ ବିଦେଶୀ ମଦ କାରବାର ।ମୟୂରଭଞ୍ଜ ଜିଲ୍ଲା  ମୋରଡାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ ବେପାରୀ ଙ୍କ ଦୌରାତ୍ମ୍ୟ । କରୋନା ଦ୍ୱିତୀୟ ଲହରି ପାଇଁ  ଲକଡାଉନ ଲାଗିଥିବା ବେଳେ ଚୋରା ମଦ ବେପାରୀଙ୍କର ଚାଲିଛି ଜୋରଦାର ବେପାର ।  ସାଧାରଣ ଲୋକଙ୍କ ପାଇଁ ରୋଜଗାର କମିବାର ଡର ପଶିଥିବା ବେଳେ ଚୋରା ମଦ ବେପାରୀଙ୍କ ପାଇଁ ଆସିଛି ରୋଜଗାର ବାଟ ।

ଲକଡାଉନର ସୁଯୋଗ ନେଇ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ଆରମ୍ଭ କରିଛନ୍ତି କିଛି ବେପାରୀ । ଲକଡାଉନ୍ କାରଣରୁ ସବୁ ଦୋକାନ ବଜାର ବନ୍ଦ ରହିଛି । ଏଥିରୁ ମଦ କାଉଣ୍ଟର ମଧ୍ୟ ବାଦ୍‌ ପଡିନାହିଁ । କିଛି ଲୋକ ମଦ ପିଇବାକୁ ମଧ୍ୟ ଡହଳ ବିକଳ ହେଉଛନ୍ତି । ଯାହାର ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବେପାରୀ ଚୋରା ଚାଲାଣ କରି ଚଢା ଦରରେ ମଦ ବିକ୍ରି  କରୁଛନ୍ତି ।  ମଙ୍ଗଳବାର ମୋରଡା ଅବକାରୀ ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇଁ ଇଦର ଗ୍ରାମର ମାଳତୀ ସୋରେନ ଘରୁ ୯ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି ।

ସେହିପରି ଝିଙ୍କିରିଆ ଗ୍ରାମର ଛିତା ସୋରେନଙ୍କ ଘରୁ ୨୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ତାଙ୍କୁ ବିଭାଗ ଗିରଫ କରିଛି । ଗିରଫ କରି ଗାଡ଼ିରେ ଆଣୁଥିବା ବେଳେ ବାଟରେ ଛିତା ସୋରେନ ପରିସ୍ରା ଯିବାକୁ କହି ଗାଡିରୁ ଓହ୍ଲାଇ ଥିଲେ । ସାଙ୍ଗରେ ମହିଳା କର୍ମଚାରୀ ମଧ୍ୟ ଓହ୍ଲାଇ ଥିଲେ । ତେବେ ହଠାତ ଛିତା ସୋରେନ ଦୌଡିବାକୁ ଆରମ୍ଭ କରିଦେଲେ । ମୋରଡା ଅବକାରୀ ବିଭାଗର କର୍ମଚାରୀ ମାନେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ତେବେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ମୋରଡା ଅବକାରୀ ଅଧିକାରୀ ଭରତ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.