ଲକ୍‌ଡାଉନରେ ବଢୁଛି ଘରୋଇ ହିଂସା, ପାରିବାରିକ କଳହରୁ କୀଟନାଶକ ପିଇ ଆତ୍ମହତ୍ୟା

Published By : Prameya-News7 Bureau | April 19, 2020 IST

ବାଳକାଟି ୧୯।୦୪ : କରୋନା ମହାମାରୀ ସମୟରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଖବର ବିଭିନ୍ନ ଅଞ୍ଚଳରୁ ଆସିବାରେ ଲାଗିଛି । ରାଜ୍ୟ ଓ କେନ୍ଦ୍ର ସରକାର କରୋନା ମହାମାରୀକୁ ମୂଳପୋଛ କରିବା ଲାଗି ଲକ୍‌ ଡାଉନ୍‌ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ପରିବାରରେ ସମସ୍ତେ ସମୟ କାଟିବା ଓ ଘରର ମହିଳାମାନଙ୍କୁ ହଇରାଣ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ହେଲେ ଏପରି କଥାକୁ ସାଧାରଣରେ ଲୋକେ ଭ୍ରୂକ୍ଷେପ କରୁନଥିବା ପରିଲକ୍ଷିତ ହୋଇଛି । ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଳକାଟି ଅଞ୍ଚଳରେ । ଜଣେ ମହିଳା ପାରିବାରିକ ଗଣ୍ଡଗୋଳକୁ ନେଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି । ମହିଳା ଜଣକ ହେଲେ ବାଳକାଟି ଫାଣ୍ଡି ଅନ୍ତର୍ଗତ ପୁରଣପଧାନ ପଞ୍ଚାୟତ ଶିଶିଲୋ ଗ୍ରାମର ଭାଗ୍ୟଧର ପଣ୍ଡାଙ୍କ ପତ୍ନୀ ବିଷ୍ଣୁପ୍ରିୟା ପଣ୍ଡା(୩୮)

ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରେ ସମଗ୍ର ରାଜ୍ୟ ଥରହର ଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବରନେବାରେ ଜଣାପଡିଛି ବିଷ୍ଣୁପ୍ରିୟାଙ୍କ ସହିତ ଭାଗ୍ୟଧରଙ୍କର କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ବିଷ୍ଣୁପ୍ରିୟା ଖିଆପିଆ କରିନଥିଲେ । ବିଷ୍ଣୁପ୍ରିୟାଙ୍କ ପୁଅ, ଝିଅ ମା’କୁ ବୁଝାଇ ସୁଝାଇ ଯେତେ ଡାକିଲେ ବି ସେ ଖାଦ୍ୟ ଗ୍ରହଣ କରିନଥିଲେ । ଗୁରୁବାର ଅପରାହ୍ନରେ ଘରେ କେହି ନଥିବାର ସୁଯୋଗ ନେଇ ଘରେ ରଖାଯାଇଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବାଳକାଟି ଏବଂ ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାନ୍ନ ହେବାରୁ ମଞ୍ଚେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଶନିବାର ପୂର୍ବାହ୍ନରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବରପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଅପରପକ୍ଷରେ ମୃତ ବିଷ୍ଣୁପ୍ରିୟାଙ୍କ ବାପା ଶିବରାମ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ଜ୍ୱାଇଁ ମାରଧର କରନ୍ତି । ଏଥିରେ ତାଙ୍କ ଝିଅ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛି । ଏନେଇ ସେ ସ୍ୱାମୀ ସମେତ ଶ୍ୱଶୁର ଘର ବିରୋଧରେ ସମ୍ପୃକ୍ତ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ମହିଳାଙ୍କ ସ୍ୱାମୀ ଭାଗ୍ୟଧରକୁ ଅଟକ ରଖି ଅଧିକ ତଦନ୍ତ ପାଇଁ ପଚରାଉଚରା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.