ପରୀ ହତ୍ୟା ମାମଲା: ଆଇନଜୀବୀ କହିଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ଏସଆଇଟିକୁ ଆହୁରି ପ୍ରମାଣ ଦରକାର

Published By : Prameya-News7 Bureau | December 25, 2020 IST

ନୟାଗଡ ୨୫।୧୨: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଏବେ ଜେଲ୍ ଭିତରେ । ସରୋଜଙ୍କୁ ଭେଟିବା ପାଇଁ ମାଆ ଓ ଭଉଣୀ ଜେଲ୍ ଯାଇଥିଲେ ବି କରୋନା କଟକଣା ପାଇଁ ସେମାନଙ୍କୁ ଅନୁମତି ମିଳିନଥିଲା । ସେପଟେ କୋର୍ଟରେ ସରୋଜକୁ ଦୋଷୀ ଭାବେ ପ୍ରମାଣ କରିବା ପାଇଁ ଏସ୍ଆଇଟିକୁ ଢେର ପରିଶ୍ରମ କରିବାକୁ ପଡ଼ିବ ବୋଲି ଆଇନଜୀବୀ ମତ ବାଢ଼ିଛନ୍ତି ।

ରିମାଣ୍ଡ ସରିବା ପରେ ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀର ଠିକଣା ଏବେ ନୟାଗଡ଼ ଜେଲ୍ । ନାଇଁ ନାଇଁ କରି ସବୁ ମାନିଥିଲା ।  ଏପଟେ ଆଜି ମାଆ ଓ ଭଉଣୀ ଜେଲ୍ ଯାଇ ପୁଅକୁ ଦେଖା ନକରିପାରି ଫେରିଛନ୍ତି । କରୋନା କଟକଣା ଥିବାରୁ ସାକ୍ଷାତ ସମ୍ଭବ ହୋଇନି । ସେପଟେ ଗତକାଲି ଏସ୍ଆଇଟି କମାଣ୍ଡର ଅରୁଣ ବୋଥ୍ରା ସରୋଜର କଳା କାରନାମା ବିଷୟରେ ପରିବାରର କିଛି ସଦସ୍ୟ ଜାଣିଥିବା କହିବା ପରେ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ସମୟ ଧରି ସରୋଜ ଘରେ ତାଲା ପଡ଼ିଥିବାର ଦେଖିବାକୁ ମିଳିଛି ।   

ଏସବୁ ଭିତରେ ସରୋଜର ଦୋଷ ପ୍ରମାଣ ପାଇଁ ଯଥେଷ୍ଟ ପ୍ରମାଣ ଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହୁଥିବା ବେଳେ ଆଇନଜୀବୀଙ୍କ ମତରେ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ । ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପାରିପାର୍ଶ୍ବିକ ପ୍ରମାଣ ଓ ସାଇଣ୍ଟିଫିକ୍ ଏଭିଡେନ୍ସ ହିଁ କୋର୍ଟରେ ଦାଖଲ କରିବ ଏସ୍ଆଇଟି। ପରୀ ଫ୍ରକ୍‌ରେ ଲାଗିଥିବା ସିମେନ୍ ସରୋଜର ନା ନାହିଁ, ପୋଖରୀ ଭିତରୁ ମିଳିଥିବା ଲେଗିଙ୍ଗସ୍ ପରୀର ନା ନାହିଁ, ସେସବୁ ପ୍ରମାଣ କରିବାକୁ ପଡ଼ିବ ।  ସେହିପରି ଗାମୁଛାରେ ଲାଗିଥିବା ରକ୍ତ ପରୀର ନା ଆଉ କାହାର ଏସବୁର ଶକ୍ତ ପ୍ରମାଣ ଦେବାକୁ ପଡ଼ିବ ।

ସରୋଜ ଏସ୍ଆଇଟି ଆଗରେ ଦୋଷ ସ୍ବୀକାର କରିଥିଲେ ମଧ୍ୟ କୋର୍ଟରେ କଣ ଷ୍ଟେଟମେଣ୍ଟ ଦେବ ତା ଉପରେ ବି ନଜର ରହିବ । ଜାନୁଆରୀ ୧୨ ସୁଦ୍ଧା ହାଇକୋର୍ଟ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏସ୍ଆଇଟି ତା ପୂର୍ବରୁ ତଦନ୍ତ ସାରିବ । ସେପଟେ ତଦନ୍ତ ବାଟବଣା ପାଇଁ ନିର୍ଦ୍ଦୋଷ ସରୋଜକୁ ଫସାଯାଉଥିବା କଥା ଏବେ ବି ଦୋହରାଇଛନ୍ତି ପରୀ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.