ଲକଡାଉନ୍ ରୋକିପାରିଲାନି ପୁଅକୁ ଅନ୍ତିମ ଦର୍ଶନ କରିବାର ଇଛା, ୨୦୦୦ କିମି ସଡକ ଯାତ୍ରା କଲେ ଆର୍ମୀ ହିରୋଙ୍କ ମାତା-ପିତା

Published By : Prameya-News7 Bureau | April 11, 2020 IST

ବେଙ୍ଗାଲୁରୁ, ୧୧|୦୪:  ଲକଡାଉନ୍ ପ୍ରଭାବରେ ସାରା ଦେଶ ଏବେ ବନ୍ଦ ହୋଇ ରହିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଜଣେ ସେନାଧିକାରୀଙ୍କ ମାତା ଓ ପିତା ଏହି ଘଡିସନ୍ଧି ମୁହୂର୍ତ୍ତରେ ୨୦୦୦ କିମି ଯାତ୍ରା ଆରମ୍ଭ କରି ନିଜ ପୁତ୍ରଙ୍କୁ ଶେଷ ଦର୍ଶନ କରିବାକୁ ବାହାରିଛନ୍ତି  ।  ଏହି ସେନାଧିକାରୀଜଣଙ୍କ ହେଉଛନ୍ତି ନବଜ୍ୟୋତ ସିଂ ବଲ୍ । ସେ ବୀରତା ପୁରସ୍କାର ପ୍ରାପ୍ତ କରିଥିଲେ । ତେବେ କ୍ୟାନସର ସହ ସଙ୍ଘର୍ଷ କରି ନବଜ୍ୟୋଜ ପ୍ରାଣ ହରାଇଛନ୍ତି ।

ଗତ ୯ ତାରିଖରେ ସେ ବେଙ୍ଗାଲୁରୁରେ ପ୍ରାଣ ହରାଇଥିଲେ । ତାଙ୍କ ମାତା ପିତା ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଗୁରଗାଓଁରୁ ବାଙ୍ଗାଲୋର ଯାଏଁ ସଡକ ପଥରେ ଯାତ୍ରା କରିଥିଲେ । ସେମାନେ ଶୁକ୍ରବାର ସକାଳେ ଗୁରୁଗାଓଁରୁ ବାହାରିଥିବା ବେଳେ ଶନିବାର ଅପରାହ୍ନ ସୁଦ୍ଧା ପହଁଚିବେ ବୋଲି ଆଶା କରାଯାଉଛି ।

ଲକଡାଉନ୍ ପାଇଁ ନବଜ୍ୟୋତଙ୍କ ମାତା ଓ ପିତାଙ୍କୁ ସେନାର ବିମାନରେ ଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିଲା । ଏହି ମାମଲାକୁ ପ୍ରଶାସନିକ ଅଧିକାରୀ ଅଣଦେଖା କରିଥିବା ଅଭିଯୋଗ ହେଉଛି । ନବଜ୍ୟୋତଙ୍କୁ ଜମ୍ମୁ-କାଶ୍ମୀରର ଏପ ଅପରେସନରେ ବୀରତ୍ୱ ପ୍ରଦର୍ଶନ ପାଇଁ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା । ଏବେ ଶେଷ ଦର୍ଶନ ପାଇଁ ତାଙ୍କ ମାତା ପିତାଙ୍କୁ ସୈନ୍ୟ ବିମାନରେ ଅନୁମତି ଦିଆଯାଇ ନାହିଁ । ଲକଡାଉନ ପାଇଁ ଗୃହ ମନ୍ତ୍ରାଳୟର ଅନୁମତି ଆବଶ୍ୟକ ଥିଲା ବେଳେ ଗୁରୁବାର ରାତିରେ ହିଁ ଅନୁମତି ମିଳିଥିଲା । କିନ୍ତୁ ବାୟୁସେନାକୁ ମାତା ପିତାଙ୍କୁ ବେଙ୍ଗାଲୁରୁ ନେବା ପାଇଁ କୌଣସି ଆଦେଶ ଦିଆଯାଇ ନଥିଲା । ତେଣୁ ସେମାନେ ବାଧ୍ୟ ହୋଇ ସଡକ ପଥରେ ଯାତ୍ରା କରିଥିଲେ । ନବଜ୍ୟୋତ ଭାରତୀୟ ସେନାର ପାରା ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.