ଶିଶୁ ଭବନରେ ଚିକିତ୍ସା ଏମିତି : ଆଡ୍ମିଶନ କରୁନାହାନ୍ତି କର୍ତ୍ତୃପକ୍ଷ, ଚାରିମାସର ଶିଶୁକୁ ଧରି ଗଛମୂଳ ବାପା-ମା’
26/05/2020 at 3:07 PM

କଟକ ୨୬।୦୫: ଶିଶୁଭବନ ପରିସରରେ ଥିବା ଏକ ଗଛ ମୂଳେ ବସିଛନ୍ତି ଏକ ଦମ୍ପତି । କୋଳରେ ୪ ମାସର ପୁଅ । ଶିଶୁଟିର ଗୋଡ଼ ଫୁଲିଯାଇଥିବା ବେଳେ ସବୁବେଳେ ରଡ଼ି ଛାଡ଼ି କାନ୍ଦୁଛି । ଦିନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଆଉ ସନ୍ଧ୍ୟା ହେଲେ ଧୂଳିଝଡ । ତଥାପି ଜୀବନ ବିକଳରେ ଛୁଆକୁ ଧରି ବସି ରହିଛନ୍ତି ବାପା-ମା’ । ତିନିଦିନ ହେଲା ବାପା-ମା’ ଏମିତି ବସିଛନ୍ତି । ସେହି ବାଟ ଦେଇ ଅହରହ ରୋଗୀ, ରୋଗୀ ସମ୍ପର୍କୀୟ, ଡାକ୍ତର ଓ ଶିଶୁଭବନ କର୍ମଚାରୀମାନେ ଯାତାୟାତ କରୁଥିଲେ ମଧ୍ୟ କେହି ପଚାରୁନାହାନ୍ତି³ ଏମାନେ ଏଭଳି କାହିଁକି ବସିରହିଛନ୍ତି ବୋଲି.. ।
ଗଛମୂଳେ ଅସହାୟ ଅବସ୍ଥାରେ ବସିଥିବା ଦମ୍ପତି ହେଉଛନ୍ତି ଅଲେଖ ମଳିକ ଓ ଚାନ୍ଦିନୀ ମଳିକ । ଘର କେନ୍ଦୁଝର ଜିଲ୍ଲାରେ । ପୁଅର ଗୋଡ଼ ଫୁଲିଯିବାରୁ ସେମାନେ ପୁଅକୁ ଧରି ଗତ ଶନିବାର କଟକ ଆସିଥିଲେ । ଏସ୍ସିବି ମେଡିକାଲ୍ ଶିଶୁରୋଗ ବିଭାଗରେ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ଛୁଆକୁ ଶିଶୁଭବନକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେମାନେ ପୁଅକୁ ଧରି ଶିଶୁଭବନ ଆସିଥିଲେ । ଶିଶୁଭବନ କର୍ତ୍ତୃପକ୍ଷ ଶିଶୁକୁ ଆଡ୍ମିସନ୍ କରିବା ବଦଳରେ ପ୍ରଥମେ ଅଲଟ୍ରାସାଉଣ୍ଡ୍ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିବାକୁ କହିଥିଲେ । ସେଥିରେ କରୋନା ପରୀକ୍ଷା ବି ରହିଥିଲା । ହେଲେ ଅଧିକାଂଶ ପରୀକ୍ଷା ଏସସିବିରେ ହେବାର ବ୍ୟବସ୍ଥା ଅଛି । ବାପା ଅଲେଖ ଏଥିପାଇଁ ଏସ୍ସିବିକୁ ଯାଇଥିଲେ । ମାତ୍ର ରୋଗୀ ଆଡ୍ମିସନ୍ ହୋଇନଥିବାରୁ ଏସ୍ସିବିରେ ଏହି ସବୁ ପରୀକ୍ଷା କରାଯାଇନଥିଲା । ନିରାଶ ହୋଇ ଅଲେଖ ପୁଣିଥରେ ଶିଶୁଭବନକୁ ଫେରି ଆସି ଆଡ୍ମିସନ୍ କରିବାକୁ ଡାକ୍ତରଙ୍କୁ କହିଥିଲେ । ମାତ୍ର ତାଙ୍କ କଥା କେହି ଶୁଣିନଥିଲେ । ଅନ୍ୟପକ୍ଷରେ ମାସର ଚତୁର୍ଥ ଶନିବାର ଛୁଟି, ପରଦିନ ରବିବାର ଓ ସୋମବାର ଇଦ୍ ଅବସରରେ ଛୁଟି ଥିଲା । ଲଗାତାର ୩ଦିନ ଧରି ଛୁଟି ଥିବାରୁ ଶିଶୁଭବନକୁ ମେଡିକାଲର କେହି ଉଚ୍ଚପଦସ୍ଥ ଅଧିକାରୀ ଆସିନଥିଲେ ।
ଅନ୍ୟପଟେ ବହୁ କଷ୍ଟରେ ଲକ୍ଡାଉନ୍ ସତ୍ତ୍ୱେ କଟକ ଆସିଥିବାରୁ ପୁଣି ଥରେ ବିନା ଚିକିତ୍ସାରେ ରୋଗୀଣା ଛୁଆକୁ ଧରି କେନ୍ଦୁଝର ଫେରିଯିବାକୁ ଚାହିଁନଥିଲେ ଅଲେଖ । ନିରୁପାୟ ହୋଇ ଶିଶୁଭବନ ଗଛ ମୂଳରେ ଛୁଆକୁ ଧରି ବସି ରହିଛନ୍ତି । ଏ ସଂପର୍କରେ ସୂଚନା ପାଇ ଚାଇଲ୍ଡ୍ ଲାଇନ୍ ସଂଯୋଜକ ନାରାୟଣ ଶୁକ୍ଲା ଆଜି ଘଟଣାସ୍ଥଳରେ ପହଞ୍ଚି ଅସହାୟ ଦମ୍ପତିଙ୍କ ସହ କଥା ହୋଇଥିଲେ ।
ଅସୁସ୍ଥ ଶିଶୁକୁ ଶିଶୁଭବନରେ ଆଡ୍ମିସନ୍ କରିବାକୁ ଶିଶୁଭବନରେ କାର୍ଯ୍ୟରତ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାହା ହୋଇନଥିଲା । ଶ୍ରୀ ଶୁକ୍ଳା ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କୁମାର ଶତପଥୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ ରୋଗୀଣା ଶିଶୁକୁ ଧରି ଦମ୍ପତି ଗଛମୂଳେ ବସିରହିଛନ୍ତି । ଏନେଇ ଶିଶୁଭବନ ଅଧୀକ୍ଷକ ଡାକ୍ତର ଶତପଥିଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜାଣିନଥିବା କହିବା ସହ ଘଟଣା କଣ ବୁଝିବେ ବୋଲି କହିଛନ୍ତି ।