ବାପା ମା ନବଜାତ ପୁତ୍ରର ନାଁ ରଖିଲେ ୧୦୮ ଗୁପ୍ତା, ଜାଣନ୍ତୁ କାହିଁକି…
10/11/2018 at 7:43 PM

ଆଜି ସୁରତରେ ଜନ୍ମ ହେଇଥିବା ଜଣେ ନବଜାତ ଶିଶୁକୁ ତା ବାପା ୧୦୮ ଗୁପ୍ତା ବୋଲି ନାମକରଣ କରିଛନ୍ତି | ଏମିତି ନାଁ ନିଶ୍ଚୟ ବିରଳ | ତେବେ ତାଙ୍କ ନବଜାତ ଶିଶୁ ପୁତ୍ରକୁ ସେ କାହିଁକି ଏମିତି ନାଁ ଦେଲେ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ |
ପୁରା ଘଟଣାଟି ହେଉଛି ଏହିପରି :
ଆଜି ସକାଳେ କିରଣ ଗୁପ୍ତା ନାମ୍ନୀ ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ତାଙ୍କ ସ୍ୱାମୀ ଵିକେଶ ଗୁପ୍ତା ଏକ ଆମ୍ବୁଲାନ୍ସ ଯୋଗେ ସୁରତର ସିଭିଲ ହସ୍ପିଟାଲକୁ ନେଉଥିଲେ | ତେବେ ରାସ୍ତାରେ ପ୍ରବଳ ଟ୍ରାଫିକ ଥିଲା | ଏପଟେ ମହିଳାଙ୍କ ପ୍ରସବ ବେଦନା ବେଳୁବେଳ ବଢ଼ୁଥିଲା | ଆମ୍ବୁଲାନ୍ସର ଡ୍ରାଇଭର ବହୁ କଷ୍ଟ କରି ମହିଳାଙ୍କୁ ସିଭିଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ନେଇଥିଲେ | କିନ୍ତୁ ସିଭିଲ ହସ୍ପିଟାଲ ଛକରେ ଏମିତି ଟ୍ରାଫିକ ଯାମ ହୋଇଥିଲା ଯେ ଗାଡି ଆଉ ଆଗକୁ ବଢିନଥିଲା | ସିଭିଲ ହସ୍ପିଟାଲ ଠାରୁ ମାତ୍ର ୪୦୦ ମିଟର ଦୂରରେ କିରଣ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସିନା ଟ୍ରାଫିକ ଯୋଗୁଁ ହସ୍ପିଟାଲରେ ପହଂଚି ପାରିନଥିଲେ | ଏତିକି ବେଳେ ତାଙ୍କର ଛୁଆ ଜନ୍ମ ହେବା ଆରମ୍ଭ କରିଥିଲା | ଗାଡି ଟ୍ରାଫିକ ଭିତରେ ଫସି ରହିଥିବାରୁ ଆମ୍ବୁଲାନ୍ସର ଡ୍ରାଇଭର ଓ ଜଣେ ଆଟେଣ୍ଡାଣ୍ଟ କିଂ କର୍ତ୍ତବ୍ୟ ବିମୁଢ ହୋଇଯାଇଥିଲେ | ତେବେ ଅନ୍ୟ କୌଣସି ରାସ୍ତା ନପାଇ ଶେଷରେ ମହିଳାଙ୍କ ପ୍ରସବ ସେଇଠି ହିଁ କରାଇଦେଇଥିଲେ | ୧୦୮ ଆମ୍ବୁଲାନ୍ସ ଭିତରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଆବାରୁ ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ଵିକେଶ ଗୁପ୍ତା ତାଙ୍କ ପୁଅର ନାଁ ୧୦୮ ଗୁପ୍ତା ରଖିଛନ୍ତି |
ସନ୍ତାନ ଜନ୍ମ ହେବାର ବହୁ ସମୟ ପରେ ଟ୍ରାଫିକ ହଟିଥିଲା ଓ ଡ୍ରାଇଭର ମା ଛୁଆଙ୍କୁ ସିଭିଲ ହସ୍ପିଟାଲରେ ପହଞ୍ଚାଇଥିଲେ | ତେବେ ଯନ୍ତ୍ରଣାରେ ଛଟପଟ ହେଉଥିବା କିରଣଙ୍କ ପ୍ରସବ କରାଇବାରେ ଡ୍ରାଇଭର ଯେଉଁଭଳି ଉପସ୍ଥିତ ବୁଦ୍ଧି ଓ ସାହସ ଦେଖାଇବା ସହ ମାନବିକତାର ପରିଚୟ ଦେଲେ ସେଥିରେ କିରଣ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି |