ପାଣିରେ ପଡ଼ିଲା ଦେଢ଼ ଶହ ଫେରିବାଲାଙ୍କ ବର୍ଷକର ପରିଶ୍ରମ, ଟ୍ରେନ୍‌ରୁ ୧୦ କ୍ବିଣ୍ଟାଲ ବାଳ ଗାଏବ

Published By : Prameya-News7 Bureau | July 27, 2021 IST

ଇନ୍ଦୋର ୨୭/୦୭ : ଶରୀରକୁ ସୁନ୍ଦର ଏବଂ ସୁଢଳ କରିବା ପାଇଁ କେଶ ଗରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏହାକୁ କାଟିବା ପରେ ବିକ୍ରିମୂଲ୍ୟ ମଧ୍ୟ ବେଶ ଅଧିକ ହୋଇଥାଏ । କାରଣ ବାଳକୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ତେବେ ଇନ୍ଦୋରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଇନ୍ଦୋରରୁ ହାଓ୍ବଡା ଯାଉଥିବା ଏକ ଟ୍ରେନ୍‌ର ପ୍ରାୟ ୧୦ କ୍ବିଣ୍ଟାଲ ବାଳ ଚୋରି ହୋଇଯାଇଥିବା ସୂଚନା ମିଳିଛି । ଚୋରି ହୋଇଥିବା ୧୦ କ୍ବିଣ୍ଟାଲ ବାଳର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ତେବେ ଏହି ଚୋରି ଘଟଣାରେ ରେଲଓ୍ବେ ପୋଲିସ FIR ରଖୁନଥିବା ଅଭିଯୋଗ କରିଛନ୍ତି ଫେରିବାଲା । ବାଳଗୁଡିକୁ ଏକାଠି କରିବା ପାଇଁ ଗାଁ ଗହଳି ବୁଲିବାକୁ ପଡିଥାଏ । ଖରା, ବର୍ଷାକୁ ଖାତିର ନକରି ପରିବାର ପ୍ରତିପୋଷଣ ପାଇଁ ସେମାନେ ବାଳ ସଂଗ୍ରହ କରିଥାନ୍ତି ଏବଂ ସେଗୁଡିକୁ ଏକାଠି କରି କମ୍ପାନୀରେ ବିକ୍ରି କରିଥାନ୍ତି ।  

ସୂଚନା ଅନୁସାରେ, ଘରକୁ ଘର ବୁଲି ଫେରି ବାଲାମାନେ କିଲୋ ପ୍ରତି ୫ ହଜାର ଟଙ୍କା ଦେଇ ବାଳ ସଂଗ୍ରହ କରିଥିଲେ । ଫେରି ବାଲାଙ୍କ ମଧ୍ୟରୁ ସୁନୀଲ ନାମକ ଜଣେ ଯୁବକ କହିଛନ୍ତି ଯେ, ମାହାରାଷ୍ଟ୍ରର ପ୍ରାୟ ୧୫୦ ଜଣ ଫେରି ବାଲା ବିଭିନ୍ନ ଅଞ୍ଚଳକୁ ଯାଇ ଘର ଘର ବୁଲି ବାଳ ସଂଗ୍ରହ କରନ୍ତି । ତେବେ କିଛି ଦିନ ପୂର୍ବରୁ ଇନ୍ଦୋର ରେଲଓ୍ବେ ଷ୍ଟେସନରୁ, କୋଲକାତାର ହାଓ୍ବଡାକୁ ୨୨ ଅଖା ବାଳ ପଠାଇଥିଲେ । ଯାହାର ବୁକିଂ ନମ୍ବର ଥିଲା ୬୩୪୮୯ । କିନ୍ତୁ ହାଓ୍ବଡା ଷ୍ଟେସନରେ ପହଞ୍ଚିବା ବେଳକୁ ମାତ୍ର ୩ ଅଖା ଅର୍ଥାତ ୩ କ୍ବିଣ୍ଟାଲ ବାଳ ହିଁ ଥିଲା । ବାକି ୧୯ କ୍ବିଣ୍ଟାଲ ବାଳ ଚୋରି ହୋଇଯାଇଛି ।

ଏହା ପରେ ଫେରି ବାଲା ସୁନୀଲ ଏବଂ ତାଙ୍କର କିଛି ସହଯୋଗୀ ମାମଲା ରୁଜୁ କରିବା ପାଇଁ ରେଲଓ୍ବେ ପୋଲିସ ଷ୍ଟେସନକୁ ଯାଇଥିଲେ । କିନ୍ତୁ ପୋଲିସ ମାମଲା ରୁଜୁ କରିବା ପାଇଁ ମନା କରିଦେଇଥିଲା । ଏହା ପୂର୍ବରୁ ଅନେକ ଥର ବାଳ ପାର୍ସଲ କରି ହାଓ୍ବଡା ପଠାଇଥିବା କହିଥିଲେ । କିନ୍ତୁ ପୂର୍ବରୁ କେବେ ଚୋରି ହୋଇନଥିବା କହିଛନ୍ତି ସୁନୀଲ । ରେଳ ବିଭାଗର ଖାମଖିଆଲୀ ମନୋଭାବ ଯୋଗୁଁ ଏଭଳି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଚୋରି ହେବା ପରେ ମଧ୍ୟ ପୋଲିସ କଥା ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଚୋରି ହୋଇଥିବା ୨୨ଟି ଅଖାରେ ପ୍ରାୟ ୧୦ କ୍ବିଣ୍ଟାଲ ବାଳ ଥିଲା । ଯାହାକି ପ୍ରାୟ ୧୫୦ ଜଣ ଫେରି ବାଲାଙ୍କର ବର୍ଷକର ରୋଜଗାର । ଗାଁ ଗହଳି ବୁଲିବୁଲି ଏମାନେ ସମସ୍ତେ ବାଳ ସଂଗ୍ରହ କରନ୍ତି । କିନ୍ତୁ ଏ ସବୁ ଚୋରି ହେବା ପରେ ଏବେ ସେମାନଙ୍କ ଜୀବନ ଜୀବିକା ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ସେପଟେ ପୋଲିସ ମଧ୍ୟ ମାମଲା ରୁଜୁ କରୁନାହିଁ । ଘଟଣାକୁ ନେଇ ଇନ୍ଦୋର RPF ଅଧିକାରୀ ହରୀଶ କୁମାର କହିଛନ୍ତି ଯେ, ଆମେ କୋଲକାତାର ହାଓ୍ବଡା ପାର୍ସଲ ବିଭାଗ ସହିତ କଥା ହୋଇଛୁ । ତେବେ ଯଦି ସେଠାରେ ବାଳ ​‌ଚୋରି ସମ୍ପର୍କିତ କୌଣସି ସୂଚନା କିମ୍ବା ପୁନଶ୍ଚ ସେହି ବସ୍ତାଗୁଡିକ ନମିଳେ ତେବେ ମାମଲା ରୁଜୁ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.