ପ୍ରତ୍ୟୁଷ ଓ ପରମ ସିଦ୍ଧି: ସାରା ବିଶ୍ବରେ ଟପ୍‌ ୧୦୦ ସୁପର କମ୍ପ୍ୟୁଟରରେ ପାଇଛନ୍ତି ସ୍ଥାନ

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮/୧୧: ଅନ୍ୟ ବିକଶିତ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଆଜିର ବିଜ୍ଞାନ ଯୁଗରେ ଦେଶର ବୈଜ୍ଞାନିକମାନେ ଏଭଳି କିଛି ଆବିଷ୍କାର ବା ଉଦ୍ଭାବନ କରୁଛନ୍ତି ଯାହାକି ଭାରତକୁ ବିଶ୍ବରେ ଏକ ନିଆରା ପରିଚୟ ଦେଉଛି। ବୈଜ୍ଞାନିକଙ୍କ ସବୁ ପ୍ରକାର ଗବେଷଣା ଉପରେ ପୁରା ବିଶ୍ବ ନଜର ରଖୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଭାରତର ସୁପର କମ୍ପ୍ୟୁଟରକୁ ଶକ୍ତିଶାଳୀ କମ୍ପ୍ୟୁଟର ରାଙ୍କିଂରେ ୬୩ ତମ ସ୍ଥାନ ମିଳିଛି।

ସୁପର କମ୍ପ୍ୟୁଟରର ନାଁ ‘ପରମ ସିଦ୍ଧି-ଏଆଇ’ ଥିବା ବେଳେ ଏହାର ନିର୍ମାଣ ରାଷ୍ଟ୍ରୀୟ ସୁପର କମ୍ପ୍ୟୁଟିଂ ଅଭିଯାନ(ଏନଏସ୍‌ଏମ) ଦ୍ବାରା କରାଯାଇଛି। ତେବେ ସୁପର କମ୍ପ୍ୟୁଟିଂ ମାମଲାରେ ଭାରତ ବି ଏକ ଶକ୍ତିଶାଳୀ ରାଷ୍ଟ୍ର ତାହା ସୁପର କମ୍ପ୍ୟୁଟର ପରମ ସିଦ୍ଧିକୁ ମିଳିଥିବା ରାଙ୍କିଙ୍ଗ ହିଁ ବୟାନ କରୁଛି। ବିଶ୍ବରେ ଥିବା ମୋଟ ୫୦୦ ସବୁଠୁ ଶକ୍ତିଶାଳୀ କମ୍ପ୍ୟୁଟର ମଧ୍ୟରେ ପରମ ସିଦ୍ଧି-ଏଆଇକୁ ମିଳିଛି ୬୩ ତମ ସ୍ଥାନ। ତେବେ ଏନେଇ ବିଜ୍ଞାନ ଓ ପ୍ରଦ୍ୟୋଗିକ ବିଭାଗ ମଙ୍ଗଳବାର ସୂଚନା ଦେଇଛି।

ଏହା ଏକ ଐତିହାସିକ ମୁହୂର୍ତ୍ତ। ସୁପର କମ୍ପ୍ୟୁଟର କ୍ଷେତ୍ରରେ ଭାରତ ବିଶ୍ବର ଏକ ଶକ୍ତିଶାଳୀ ଦେଶ। ପରମ ସିଦ୍ଧି ରାଙ୍କିଂ ଏହା ସାବ୍ୟସ୍ତ କରିପାରିଛି ବୋଲି ଡିଏସଟି ସଚିବ ଆଶୁତୋଷ ଶର୍ମା କହିଛନ୍ତି।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ‘ ମୋର ବିଶ୍ବାସ ରହିଛି ପରମ ସିଦ୍ଧି-ଏଆଇ ଦ୍ବାରା ରାଷ୍ଟ୍ରୀୟ ବିକାଶ ଓ ଅନୁସନ୍ଧାନ ସଂସ୍ଥାନ ମଜଭୁତ ହେବ। ରାଷ୍ଟ୍ରୀୟ ନେଟଓ୍ବାର୍କ ଓ ଷ୍ଟାଟଅପ୍‌କୁ ଲାଭ ମିଳିବ। ଏହାସହ ପରମ ସିଦ୍ଧି ଏଆଇ ଦ୍ବାରା ସ୍ବାସ୍ଥ୍ୟ କ୍ଷେତ୍ରକୁ ଲାଭ ହେବାକୁ ଥିବା ବେଳେ ବଡ଼ ପ୍ରଭାବିତ କ୍ଷେତ୍ରରେ ପୂର୍ବାନୁମାନ କରାଯାଇପାରିବ ବୋଲି ଡିଏସ୍‌ଟି ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ପରମ ସିଦ୍ଧି-ଏଆଇ ଭାରତର ଏକମାତ୍ର ସୁପର କମ୍ପ୍ୟୁଟର ନୁହେଁ ଯାହାକି ଟପ୍‌ ୧୦୦ ଲିଷ୍ଟରେ ସ୍ଥାନ ପାଇଛି। ଏହା ପୂର୍ବରୁ ପାଣିପାଗ ପୂର୍ବାନୁମାନ ପାଇଁ ବ୍ୟବହୃତ ସୁପର କମ୍ପ୍ୟୁଟର ‘ପ୍ରତ୍ୟୁଷ’ ୭୮ ତମ ସ୍ଥାନ ଅଧିକାର କରିଥିଲା ବୋଲି ମିଣ୍ଟର ଏକ ରିପୋର୍ଟରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.