ତାଙ୍କର ଅଛନ୍ତି ସ୍ତ୍ରୀ, ୟାଙ୍କର ଅଛନ୍ତି ସ୍ୱାମୀ : ହୋଟେଲରେ ଚାଲିଥିଲା ପରକୀୟା ପ୍ରୀତି, ମୋବାଇଲ ଟ୍ରାକିଂ କରି କବାଟ ବାଡେଇଲା ପୋଲିସ

Published By : Prameya-News7 Bureau | May 08, 2021 IST

ଘଟଗାଁ ୦୮/୦୫: ହୋଟେଲରେ ପରକୀୟା ପ୍ରୀତି । ସ୍ୱାମୀ, ସ୍ତ୍ରୀ ବୋଲି ମିଥ୍ୟା ପରିଚୟ ଦେଇ ଘଟଗାଁ ସ୍ଥିତ ମା’ ହୋଟେଲରେ ଲୁଚି ରହିଥିଲେ ଜଣେ ବିବାହିତ ଯୁବକ ଓ ବିବାହିତା ମହିଳା । ବ୍ୟବସାୟ ଲୋଭରେ ହୋଟେଲ ମାଲିକ କରୋନା କଟକଣା ଉଲଂଘନ କରି ସେମାନଙ୍କୁ ରହିବାକୁ ଦେଇଥିଲେ । ମୋବାଇଲ ଟ୍ରାକିଂ ଜରିଆରେ ଘଟଗାଁ ପୁଲିସ ଚଢାଉ କରି ଉଭୟଙ୍କୁ ଖୋଜି ବାହାର କରିଥିବାବେଳେ ହୋଟେଲ ମାଲିକଙ୍କ ପ୍ରତି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଆଲୋଚନା ହେଉଛି ।

ମିଳିଥିବା ଖବର ଅନୁସାରେ କେନ୍ଦୁଝର ଜିଲ୍ଲାର ବିବାହିତ ଯୁବକ ଭୁବନେଶ୍ୱର ବଡଗଡ ଥାନା ଅଧିନସ୍ଥ ଜଣେ କଣ୍ଟ୍ରାକ୍ଟର ବିଜୟ ସେଠୀ ପାଖରେ କାମ କରୁଥିଲେ । ବିଜୟଙ୍କ ଭାଣିଜିଙ୍କ ଯେକି ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କୁ ବିବାହ କରିଥିବାବେଳେ କିଛି ମାସ ହେଲାଣି ମାମୁଁ ଘରେ ରହୁଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ବିଜୟ ସେଠୀଙ୍କ ଘରକୁ ସଂପୃକ୍ତ ଯୁବକ ଯିବାଆସିବା ରହିଥିଲା । ଏହି ସମୟରେ ଭାଣିଜି ଏବଂ ସଂପୃକ୍ତ ଯୁବକ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପିଲାଛୁଆଙ୍କ ମା’ ବାପା ହୋଇ ମଧ୍ୟ ପ୍ରେମ ନିଶାରେ ଗତ ୧ ତାରିଖରୁ ଘର ଛାଡି ଚାଲି ଆସିଥିଲେ । ଘଟଗାଁରେ ପହଞ୍ଚିବା ପରେ ସ୍ୱାମୀ, ସ୍ତ୍ରୀର ପରିଚୟ ଦେଇ ସ୍ଥାନୀୟ ମା’ ହୋଟେଲରେ ରହିଥିଲେ । ମହିଳାଙ୍କ ମା’ ଗତ ୨ ତାରିଖରେ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ଆରତୀଙ୍କ ମୋବାଇଲ ଟ୍ରାକିଂ କରାଯିବା ପରେ ସେ ଘଟଗାଁରେ ଥିବା ଜଣାପଡିଥିଲା ।

ଘଟଗାଁ ଥାନା ସହଯୋଗରେ ଗତ ଗୁରୁବାର ୬ ତାରିଖ ସନ୍ଧ୍ୟା ୬ଟାରେ ମା’ ହୋଟେଲ ପୁଲିସ ଚଢାଉ କରିଥିଲା । ହୋଟେଲର ଏକ ରୁମ୍‌ରୁ ଉଭୟ ଧରା ପଡିଥିଲେ । ମହିଳା ଜଣକ ତାଙ୍କ ପରିବାର ଲୋକେ ନେଇ ଯାଇଥିବାବେଳେ ଯୁବକକୁ ପୁଲିସ ଜିମା ଦେଇଥିଲେ । ଯୁବକଙ୍କ ଘର ଲୋକେ ପହଞ୍ଚି ଅଣ୍ଡରଟେକେନ ଦେବା ପରେ ପୁଲିସ ତାଙ୍କୁ ଛାଡି ଥିବା ଜଣାପଡିଛି । ଅନ୍ୟପଟେ ହୋଟେଲ କର୍ତ୍ତୃପକ୍ଷ କରୋନା କଟକଣା ଉଲଂଘନ କରି ଲୋକଙ୍କୁ ରଖିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗତ ଏପ୍ରିଲ ମାସ ୬ ତାରିଖରେ ହୋଇଥିବା ବୈଠକରେ ଘଟଗାଁ ତହସିଲଦାର କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ପାଳନ ଲାଗୁ କରିଥିଲେ । ସ୍ଥାନୀୟ ହୋଟେଲ ଓ ଲଜ୍‌ ମାଲିକ ଏହାକୁ କଡାକଡି ପାଳନ ପାଇଁ ସଚେତନ କରାଇଥିଲେ । କିନ୍ତୁ ମା’ ହୋଟେଲ କର୍ତ୍ତୃପକ୍ଷ ଏହାକୁ ସମ୍ପୂର୍ଣ୍ଣ ଉଲଂଘନ କରିଥିବା ଜଣାପଡିଛି । ମିଥ୍ୟା ସ୍ୱାମୀ, ସ୍ତ୍ରୀର ପରିଚୟ ଦେଇ ରହିଥିବା ଦିଲୁ ଓ ଆରତୀଙ୍କ ପାଖେ କରୋନା ନେଗେଟିଭ୍‌ ରିପୋର୍ଟ ନଥିଲା । ଏହାବ୍ୟତୀତ ହୋଟେଲରେ ରହୁଥିବା ଗ୍ରାହକଙ୍କ ଦୈନିକ ତଥ୍ୟ ସ୍ଥାନୀୟ ପ୍ରଶାସନ ପାଖରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଥିବାବେଳେ ହୋଟେଲ କର୍ତ୍ତୃପକ୍ଷ ଏହାକୁ ମଧ୍ୟ ଖିଲାପି କରିଥିଲେ । ଏନେଇ ହୋଟେଲ ମାଲିକ ହୃଷିକେଶ ସାହୁଙ୍କ ପୁଅଙ୍କୁ ପଚାରିବାରୁ ସେ ଏ ବାବଦରେ ଘଟଗାଁ ଥାନାକୁ ଜଣାଇଥିବା ପ୍ରକାଶ କରିଥିଲେ ।

ଅନ୍ୟପଟେ ଏସ୍‌ଆଇଙ୍କ ମତାମତ ନେବାରୁ ଲକ୍‌ଡାଉନ ଯୋଗୁ ସ୍ୱାମୀ, ସ୍ତ୍ରୀ ରହିବାକୁ ଚାହୁଁଛନ୍ତି ବୋଲି ହୋଟେଲ ପକ୍ଷରୁ ଫୋନ ଯାଇଥିଲା । କରୋନା ଗାଇଡଲାଇନ ଅନୁସାରେ ଉଭୟଙ୍କ ସମସ୍ତ ପ୍ରମାଣପତ୍ର ରଖିବା ସହ ଦୁଇଟି ଅଲଗା ରୁମ୍‌କୁ ସାନିଟାଇଜ କରାଯାଇ ସେମାନଙ୍କୁ ଦେବାକୁ କୁହାଯାଇଥିଲା । ଗୋଟେ ଦିନ ରହିବା ପରେ ସେମାନଙ୍କୁ ପଠାଇ ଦେବାକୁ ପୁଲିସ କହିଥିବାବେଳେ ହୋଟେଲ କର୍ତ୍ତୃପକ୍ଷ ଦିଲୁ ମୁଣ୍ଡା ଓ ଆରତୀ ସେଠୀକୁ ଏକାଠି ୩ ଦିନ ରହିବା ପାଇଁ ଦେଇଥିଲେ । ସେମାନଙ୍କ କୌଣସି ତଥ୍ୟ ପ୍ରଶାସନ ନିକଟରେ ଦାଖଲ କରି ନଥିଲେ । ଏ ବାବଦରେ ଘଟଗାଁ ତହସିଲଦାର ଜନକ ନାଏକଙ୍କୁ ପଚାରିବାରୁ ଘଟଣା ବିଷୟରେ ମୁଁ ଖବର ପାଇଛି । ପୁଲିସ ସହିତ ଆଲୋଚନା ପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.