ପାରାଦୀପର କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ଏସସିବିରେ ଚାଲିଛି ଚିକିତ୍ସା : ଆଜି ପରୀକ୍ଷା ପାଇଁ ପୁଣେ ପଠାଯିବ ସାମ୍ପୁଲ

Published By : Prameya-News7 Bureau | March 04, 2020 IST

ପାରାଦୀପ ୪/୩: ଓଡିଶାରେ କରୋନା ଚିହ୍ନଟ ହୋଇନି, କିନ୍ତୁ କରୋନା ଭୟ ରାଜ୍ୟବାସୀଙ୍କୁ ଘାରିଛି । ପାରାଦୀପରେ ଲାଗିଥିବା ଏକ ଜାହାଜରେ ୨ ଜଣ ଅସୁସ୍ଥ ହେବାକୁ ନେଇ ଦେଖାଦେଇଛି ଭୟ । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ଜାହାଜର ଏହି ଦମ୍ପତିଙ୍କୁ SCBରେ ଭର୍ତ୍ତି କରାଯାଇଛି । ସିଙ୍ଗାପୁରରୁ ପାରାଦୀପ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଦେଖାଯାଇଥିଲା ।

ଏହି ଦମ୍ପତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା । ଆଜି ଭୁବନେଶ୍ବର RMRC ମାଧ୍ୟମରେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ସେମାନଙ୍କ ରକ୍ତ ଓ ଲାଳ ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍ ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନ୍ ରେ ରଖାଯାଇଥିବା ବେଳେ ୪୨ ଜଣ ଘରେ ଆଇସୋଲେସନ୍ ରେ ରହିଛନ୍ତି ।

ସେପଟେ ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିପରି ରେଳ ଷ୍ଟେସନରେ ମଧ୍ୟ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଲାଗି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି।  ଟୋଲ ଫ୍ରି ନମ୍ବର ଜାରି ହୋଇଛି । ଏହି ନମ୍ବର ୨ଟି ହେଲା ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.