ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇଥିଲା କଲରାପତରିଆ ବାଘର ମଳ ଓ ମୂତ୍ର: ଜାଣନ୍ତୁ କାହିଁକି

Published By : Prameya-News7 Bureau | September 12, 2018 IST

ନୂଆଦିଲ୍ଲୀ ୧୨|୯: ୨୦୧୬ ମସିହାରେ ଜମ୍ମୁକାଶ୍ମୀର ଉରୀ ସେକ୍ଟରରେ ଥିବା ସେନାର କ୍ୟାମ୍ପ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହାପରେ ପାକିସ୍ତାନ ଉପରେ ଭାରତ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ତାକୁ ବର୍ତ୍ତମାନ ୨ବର୍ଷ ପୁରିବାକୁ ଯାଉଛି । ୨୦୧୬ ମସିହା ସେପ୍ଟେମ୍ବର ୨୯ତାରିଖରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକ୍ ରେ ଭାରତୀୟ ସେନା ପାକିସ୍ତାନ ମଧ୍ୟକୁ ପ୍ରାୟ ୧୫ କିଲୋମିଟର ଯାଇ ୩ଟି ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ୍ ଧ୍ବଂସ କରିଦେଇଥିଲେ । ଏହି ଅଭିଯାନରେ ପ୍ରାୟ ୩୦ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଭାରତୀୟ ସେନା ମାରିବାରେ ସକ୍ଷମ ହୋଇଥିଲେ । ସର୍ଜିକାଲ ଷ୍ଟ୍ରାଇକ୍ ଭାରତୀୟ ସେନାର ଏକ ସଫଳ ଅଭିଯାନ ଥିଲା । ତେଣୁ ସର୍ଜିକାଲ ଷ୍ଟ୍ରାଇକ୍ ରେ ସାମିଲ ଥିବା ଜବାନମାନଙ୍କୁ ୨୦୧୭ ମସିହାରେ ବିଶେଷଭାବେ ସମ୍ମାନୀତ କରାଯାଇଥିଲା । ତେବେ ସର୍ଜିକାଲ ଷ୍ଟ୍ରାଇକର ଏକ ଗୁପ୍ତ ରାଣନୀତି ଏବେ ପଦାକୁ ଆସିଛି । ଏହି ଗୋପନୀୟ ତଥ୍ୟ ପଦାକୁ ଆଣିଛନ୍ତି ସର୍ଜିକାଲ ଷ୍ଟ୍ରାଇକର ପୁରୋଭାଗରେ ଥିବା ନଗ୍ରୋଟା ସେକ୍ଟର କର୍ପର କମାଣ୍ଡର ଲେଫଟନାଣ୍ଟ ଜେନେରାଲ ରାଜେନ୍ଦ୍ର ନିବୋରକର । ବାଜିରାଓ ପେଶାଓ୍ବାର ସଂଗଠନ ପକ୍ଷରୁ ଗତକାଲି ଲେଫଟନାଣ୍ଟ ଜେନେରାଲ ନିବୋରକରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ଅବସରରେ ଲୋକଙ୍କ ସହ ସର୍ଜିକାଲ ଷ୍ଟ୍ରାଇକର ଅନୁଭୂତି ବାଣ୍ଟିବାବେଳେ ସେ ଏହି ଗୁପ୍ତ ତଥ୍ୟଟି କହିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ଡିସକଭରୀ ଚ୍ୟାନେଲ୍ ପକ୍ଷରୁ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରାମାଣିକ ଚିତ୍ର ମଧ୍ୟ ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରଦର୍ଶନ କରିଥିଲେ। ତେବେ ସେଥିରେ ମଧ୍ୟ ଏହି ତଥ୍ୟ ନଥିଲା ଯାହା ନିବୋରକର ଲୋକଙ୍କ ସହ ବାଣ୍ଟିଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ୍ ନିବୋରକର କହିଛନ୍ତି ଯେ,ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ କଲରାପତରିଆ ବାଘର ମଳ ଓ ମୂତ୍ରର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ମଳମୂତ୍ରକୁ ହାତରେ ଧରି ଭାରତୀୟ ସେନା ପାକିସ୍ତାନ ମଧ୍ୟରେ ପ୍ରବେଶ କରିଥିଲେ। ସର୍ଜିକାଲ ଷ୍ଟ୍ରାଇକରେ ସଫଳତା ମିଳିବା ପଛରେ ଏହି ମଳ ଓ ମୂତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ସେ କହିଛନ୍ତି ଯେ, ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତୀୟ ସେନା ଯେଉଁ ଅଞ୍ଚଳ ଦେଇ ପାକିସ୍ତାନ ମଧ୍ୟକୁ ପ୍ରବେଶ କରିବାଲାଗି ରଣନୀତି ପ୍ରସ୍ତୁତ ହୋଇଥିଲା,ସେହି ଅଞ୍ଚଳଟି ଘନ ଜଙ୍ଗଲରେ ପରିପୂର୍ଣ୍ଣ ହେବା ସହ ଜନବସତି ବହୁଳ ମଧ୍ୟ ଥିଲା। କର୍ପ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ନିବୋରକରଙ୍କୁ ଡର ଥିଲା ଯେ, ଜନବସତିରେ ରହୁଥିବା କୁକୁରମାନେ ସର୍ଜିକାଲ ଷ୍ଟ୍ରାଇକକୁ ଭଣ୍ଡୁର କରିଦେଇପାରନ୍ତି। କାରଣ ରାତିରେ ସେହି ରାସ୍ତାଦେଇ ଜବାନମାନେ ଯିବାବେଳେ ସ୍ବଭାବବଶତଃ କୁକୁରମାନେ ଭୁକିପାରନ୍ତି ବା ଜବାନମାନଙ୍କୁ କାମୁଡ଼ିବାକୁ ଆସିପାରନ୍ତି। ଉଭୟ ଅସୁବିଧା ସୃଷ୍ଟି କରିପାରେ। କୁକୁର ଭୁକିବାଦ୍ବାରା ଯଦି ଘରେ ଶୋଇଥିବା ଲୋକମାନେ ଉଠିଯାଆନ୍ତି ତାହେଲେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଗ୍ରହଣ କରାଯାଇଥିବା ଗୋପନୀୟତା କ୍ଷୂର୍ଣ୍ଣ ହେବ। ସେହିଭଳି କାମୁଡ଼ିବାକୁ ଆସୁଥିବା କୁକୁରଙ୍କୁ ଡରାଇବାପାଇଁ ଯଦି ଜବାନମାନେ ଗୁଳି ଫୁଟାନ୍ତି ତାହେଲେ ମଧ୍ୟ ସମସ୍ତ ଯୋଜନା ପଣ୍ଡ ହୋଇଯିବ।ସେଥିପାଇଁ ପୂର୍ବରୁ ହିଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଲେଫ୍ଟନାଣ୍ଟ ଜେନେରାଲ ନିବୋରକର ନଗ୍ରୋଟା ସେକ୍ଟର ସହିତ ଅତ୍ୟନ୍ତ ପରିଚିତ। ସାଧାରଣତଃ ଏ ଅଞ୍ଚଳଟି ଘନ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଏଠାରେ କଲରାପତରିଆ ବାଘଙ୍କ ପ୍ରାର୍ଦୁଭାବ ମଧ୍ୟ ରହିଛି। କଲରାପତରିଆ ବାଘ ନିଜ ଆହାର ପାଇଁ କୁକୁରଙ୍କୁ ଶିକାର କରିଥାନ୍ତି। ତେଣୁ କଲରାପତରିଆ ବାଘର ଭୟରେ ଜନବସତିରେ ରହୁଥିବା କୁକୁରମାନେ ରାତି ହେଲେ ଘର ଭିତରେ ହିଁ ହହିବା ଉଚିତ୍ ମଣିଥାନ୍ତି। ଏହି ତଥ୍ୟ ସେନାବାହିନୀର ବିଶେଷ କାମରେ ଲାଗିଥିଲା। ଆଖପାଖରେ କଲରାପତରିଆ ବାଘ ଅଛି ବୋଲି କୁକୁରକୁ ଧାରଣା ଦେବାପାଇଁ ଜବାନମାନେ ସାଙ୍ଗରେ କଲରାପତରିଆ ବାଘର ମଳ ଓ ମୂତ୍ର ନେଇ ରାସ୍ତା ସାରା ପକାଇ ଯାଇଥିଲେ। କୁକୁରର ଆଘ୍ରାଣ ଶକ୍ତି ପ୍ରଖର ହୋଇଥିବାରୁ କଲରାପତରିଆ ବାଘର ମଳ ଓ ମୂତ୍ର ଗନ୍ଧ ବାରି ଆଖପାଖରେ କଲରାପତରିଆ ବାଘ ଅଛି ବୋଲି ଧାରଣାରେ ଆଉ ଘରୁ ପଦାକୁ ବାହାରିନଥିଲେ। ଫଳରେ ଭାରତୀୟ ସେନା ନିର୍ଦ୍ବନ୍ଦରେ ନିଜ ଅଭିଯାନରେ ଆଗକୁ ବଢ଼ିଲେ ଓ ସଫଳତା ପାଇଲେ। ଏକଥା ସେ ସମୟରେ ପଦାକୁ ଅଣାଯାଇଥିଲେ ସର୍ଜିକାଲ ଷ୍ଟ୍ରାଇକରେ ଥିବା ଜବାନମାନଙ୍କ ପାଇଁ ବିପଦସୃଷ୍ଟିକାରୀ ହୋଇଥାଆନ୍ତି। କିନ୍ତୁ ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ଏକ ରୋଚକ କାହାଣୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.