Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଅଲଚିକି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ଦର୍ଶନ ଦିବସ, ଆଶୀର୍ବାଦ ପ୍ରାପ୍ତି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

28/02/2021 at 12:32 PM

ରାଇରଙ୍ଗପୁର-୨୮/୨ ସାନ୍ତାଳୀ ଲିପି ଅଲଚିକିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପବିତ୍ର ମାଘ ସପ୍ତମୀ ଦିନ ମହାପ୍ରୟାଣ ହୋଇଥିଲା । ପ୍ରତିବର୍ଷ ମାଘ ପୂର୍ଣ୍ଣିମାର ପୂର୍ବଦିନକୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦାଣ୍ଡବୋଷ ଗ୍ରାମ କାପିଡୁଙ୍ଗୁରି ସ୍ଥିତ ତାଙ୍କ ସମାଧିସ୍ଥଳରେ ଗୁରୁ ଦର୍ଶନ ଦିବସ ଭାବେ ପାଳନ କରାଯଇଥାଏ ।  ରାଜ୍ୟ ତଥା ରାଜ୍ୟ ବାହାରୁ ସାନ୍ତାଳୀ ସମ୍ପ୍ରଦାୟର ମହିଳା ଓ ପରୁଷ ଶ୍ରଦ୍ଧାଳୁ ମାନେ ଗୁରୁ ଦର୍ଶନ ପାଇଁ ଆସିଥାନ୍ତି ।

ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଭଗବାନ ସଦୃଶ। ଅଲଚିକି ଲିପି ସୃଷ୍ଟି କରିଥିବାରୁ ଏହି ଲିପିର ଜନକ ଭାବରେ ବେଶ ଜଣାଶୁଣା। ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା ସାନ୍ତାଳୀ ମାନଙ୍କ ଜୀବନଧରଣର ବିକାଶ ନିମନ୍ତେ ତାଙ୍କର ଅବଦାନ ଅତୁଳନୀୟ । ସ୍ଵର୍ଗତ ମୁର୍ମୁଙ୍କ ସ୍ମୃତିରେ ପଶ୍ଚିମବଙ୍ଗର ବାଙ୍କୁଡା ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦ ଠାରେ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାର ମଧ୍ୟ ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାଁରେ ନାମିତ କରିଛନ୍ତି। ୧୯୮୨ ମସିହା ମାଘ ସପ୍ତମୀ ରେ ତାଙ୍କର ତିରୋଧାନ ପରେ ୧୯୮୩ ମସିହା ପାଖରୁ ଦୀର୍ଘ ୩୭ ବର୍ଷ ହେଲା ତାଙ୍କର ଶ୍ରାଦ୍ଧ ଦିବସକୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଗୁରୁ ଦର୍ଶନ ଦିବସ ଭାବରେ ପାଳନ କରି ଆସୁଛନ୍ତି। ଗୁରୁ ଦର୍ଶନ ପାଇଁ ସକାଳୁ ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଦାଣ୍ଡବୋଷ ଗ୍ରାମ କାପିଡୁଙ୍ଗୁରି ସ୍ଥିତ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ପହଂଚି ଥିଲେ । ଗୁରୁ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଥିଲା । ଧାଡି ଧାଡିରେ ଯାଇ ଗୁରୁଙ୍କ ସମାଧୀରେ ଫୁଲମାଳ, ଧୋତି ଆଦି ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିବା ସହ ପୂଜାର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଗୁରୁ ଦର୍ଶନ ଦିବସ ସାନ୍ତାଳୀ ଭାଷାରେ “ମାଘ ବୋଙ୍ଗା ବୁରୁ କୁନାମି ବୁରୁ ହିରି ବୁରୁ ନେପେଲ” ନାମରେ ମଧ୍ୟ ସୁପରିଚିତ।

ଭିଡ ଯୋଗୁ ଗୁରୁ ଦର୍ଶନ ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁ ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଖାଇବା ପିଇବାର ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଗୁରୁଦର୍ଶନ ସାରି ସମସ୍ତେ ଏକତ୍ରିତ ହୋଇ ପାରମ୍ପରିକ ନୃତ୍ୟ ଗୀତରେ ମଜ୍ଜି ଯାଇଥାନ୍ତି । ଏକା ସହ ଅସଂଖ୍ୟ ସଂଖ୍ୟକ ମହିଳା ଓ ପୁରୁଷ ମାଦଳ ଓ ଧାମଶା ତାଳେ ତାଳେ ନାଚିବା ବହୁ ଆକର୍ଷଣୀୟ ହୋଇଥାଏ । ଏହି ଅବସରରେ ମେଳା ମଧ୍ୟ ଲାଗିଥାଏ ।  ମେଳାରେ ବିଭିନ୍ନ ଦୋକାନ ବଜାର ଲାଗିଥିବା ବେଳେ ବହୁ ଆଦିବାସୀ ପାରମ୍ପରିକ ଜିନିଷ ଦେଖିବାକୁ ମିଳେ । ଗୁରୁ ଦର୍ଶନ ସହ ମେଳା ମଧ୍ୟ ବୁଲିବାକୁ ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ । ଓଡିଶା ସମେତ ବିହାର ,ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ଏପର୍ଯ୍ୟନ୍ତ ଏହି ସମାଧି ପୀଠର ଭିତ୍ତିଭୂମିର ବିକାଶ ହୋଇପାରିନଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

   Related Posts