ସୋମବାର ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ, ନାଗାର୍ଜୁନ ବେଶକୁ ନେଇ ବିବାଦ

Published By : Prameya-News7 Bureau | November 14, 2021 IST

ପୁରୀ,୧୪/୨୧: ସୋମବାର ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି ଧରାଯାଉଥିବାରୁ ପୁରୀରେ ଏହି ପଞ୍ଚୁକ ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ଜମିବ। ତେବେ ଗତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ  ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଥିବା ନେଇ ବିବାଦ ଆରମ୍ଭ ହୋଇଛି। ସେପଟେ ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନଥିବା ବେଳେ ଏହି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଶ୍ରୀମନ୍ଦିର ପରିଚାଳନା କମିଟି‌ ସଦସ୍ୟ ଅନୁରୋଧ କରିଛନ୍ତି।

ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବା ନେଇ କୋହେନୂର ପଞ୍ଜିକାରେ ଉଲ୍ଲେଖ ରହିଥିବା ବେଳେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବାଦ ବିବାଦ। ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନାହିଁ ବୋଲି ପୂର୍ବରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲେ ମଧ୍ୟ କୋହେନୂର କ୍ୟାଲେଣ୍ଡରରେ କିଭଳି ଭୁଲ ତଥ୍ୟ  ଦିଆଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ଶ୍ରୀମନ୍ଦିର ପଞ୍ଜିକାରେ ନାଗାର୍ଜୁନ ବେଶ ପଡୁନଥିବା ଉଲ୍ଲେଖ ରହିଛି। ଏହାକୁ ନେଇ ଭକ୍ତ ଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ, ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି। 

ରବିବାର ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାବେଳେ ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ଏନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ସୋମବାର ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ। ପଞ୍ଚୁକର ଶେଷ ଦିବସ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀମନ୍ଦିରରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ବେଶ ଦର୍ଶନରୁ ମଧ୍ୟ ଭକ୍ତମାନେ ବଞ୍ଚିତ ରହିବେ। ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ତିନି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.