ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ଆରମ୍ଭ, ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Published By : Prameya-News7 Bureau | November 08, 2019 IST

ପୁରୀ ।୧୧: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ହଜାର ହଜାର ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ଶ୍ରୀକ୍ଷେତ୍ରରେ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ସହ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତକାଲି ମହାପ୍ରଭୁଙ୍କ ବାଙ୍କଚୁଡ଼ ବେଶ ଅନୁଷ୍ଠିତ ହେବ। ସେହିଭଳି ୧୦ରେ ତ୍ରିବିକ୍ରମ, ୧୧ରେ ଲକ୍ଷ୍ମୀନୃସିଂହ ଓ ୧୨ ତାରିଖ କାର୍ତ୍ତିକପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ।

{"id":180893}

ମହାଧାର୍ମିକ କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚକ ବା ପଞ୍ଚୁକ ନାମରେ ନାମିତ। କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନ ପଞ୍ଚୁକ ବ୍ରତ ପାଳନ କରାଯାଇଥାଏ। ଦୀର୍ଘ ଏକାମାସ ଧରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ପାଇଁ ପଞ୍ଚୁକ ବ୍ରତ ବେଶ୍ ମହତ୍ୱ ରଖିଥାଏ।

{"id":180896}

ଆଜି ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ହରି ଉତଥାପନ ଏକାଦଶୀ ନୀତି ସଂପନ୍ନ ହେବା ପରେ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

{"id":180897}

ପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏକାଦଶୀଠାରୁ କାର୍ତ୍ତିକ ଚତୁର୍ଦ୍ଧଶୀ ପର୍ଯ୍ୟନ୍ତ ଗୋଟିଏ ଏବଂ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଆଉ ଗୋଟିଏ ପୋଲିସ ବ୍ୟବସ୍ଥା ହୋଇଛି।

{"id":180898}

ପଞ୍ଚୁକରେ ୩୦ ପ୍ଲାଟୁନ୍ ଫୋର୍ସ ସହ ୧୦୦ ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି। ବାତ୍ୟା ବୁଲବୁଲ ପାଇଁ ପ୍ରତିକୂଳ ପାଗ ସତ୍ତ୍ୱେ ପଞ୍ଚୁକ ବ୍ରତ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ କମିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.