ପଂଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା : ଫନି ପ୍ରଭାବିତ ୧୪ଜିଲ୍ଲାରେ ୧୨ଲକ୍ଷ ୭୫ହଜାର ପରିବାର ଚିହ୍ନଟ, ଘର ତିଆରି ଅର୍ଥ ପ୍ରଦାନ ଲାଗି ଖୁବଶୀଘ୍ର ଆରମ୍ଭ ହେବ ଆପ୍
17/10/2019 at 5:59 PM

ଭୁବନେଶ୍ବର ୧୭|୧୦: ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୨ଲକ୍ଷ ୭୫ହଜାର କ୍ଷତିଗ୍ରସ୍ତ ପରିବାରକୁ ବାସଗୃହ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି । ଏହାର ସସ୍ତ ବିବରଣୀ କେନ୍ଦ୍ର ସରକାରଙ୍କ ଆପ୍ ରେ ଅପଲୋଡ୍ କରାଯିବା ସହିତ ପ୍ରସ୍ତାବଟି କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ।
ସେହିଭଳି ଅବଶିଷ୍ଟ ୧୬ଟି ଜିଲ୍ଲାରେ ୧୦ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିବାବେଳେ ଏହାର ଫଟୋ କେନ୍ଦ୍ର ସରକାରଙ୍କୁ ପଠାଯାଇ ପାରୁନାହିଁ । କାରଣ କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତ କରିଥିବା ଆପ୍ କୁ ବର୍ତମାନ ସୁଦ୍ଧା ‘ବ୍ଲକ’ କରି ରଖିଛନ୍ତି । ପଂଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷାରୁ ଆଜି ଏହା ଜଣାପଡିଛି ।
ସେହିଭଳି ବିଜୁ ପକାଘର ଯୋଜନାରେ ଚଳିତବର୍ଷ ବର୍ତମାନ ସୁଦ୍ଧା ୭୫ହଜାର ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ଯୋଜନାରେ ୮ଲକ୍ଷ ଘର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ବିଜୁ ପକ୍କାଘର ଯୋଜନାରେ ଅଦ୍ୟାବଧି ଅସମ୍ପୂର୍ଣ ଥିବା ୨୧ହଜାର ଘରକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାପାଇଁ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ପ୍ରତି ସପ୍ତାହରେ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବାକୁ କୁହାଯାଇଛି । ହିତାଧିକାରୀମାନେ ଏଣିକି ନିଜ ଘରର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପ୍ରସ୍ତୁତ ଆପ୍ ରେ ସେମାନଙ୍କ ଘରର ଫଟୋ ସହିତ ଅନ୍ୟାନ୍ୟ ସୂଚନା ଅପଲୋଡ୍ କରିବେ ।
ତଦନୁଯାୟୀ ହିତାଧିକାରୀମାନଙ୍କ ନିକଟକୁ ସିଧାସଳଖ ଘର ତିଆରି ବାବଦ ଅର୍ଥ ଯାଇପାରିବ । ଏଥି ସହିତ ଆପ୍ ଜରିଆରେ ସେମାନଙ୍କୁ ବିଲ୍ ପ୍ରଦାନର ସମସ୍ତ ସୂଚନା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ଆଜି ଆମ ଗାଁ ଆମ ବିକାଶ, ଗ୍ରାମୀଣ ସଡକ ଓ ସେତୁ ନିର୍ମାଣ ଓ ରୋଜଗାର, ଗ୍ରାମାଂଚଳରେ ଷ୍ଟ୍ରିଟ୍ ଲାଇଟ୍, ବିଜୁ ପକ୍କାଘର ଯୋଜନାରେ ୨୦୧୯-୨୦ ରେ ବର୍ତମାନର ସ୍ଥିତି ଏବଂ ରୁର୍ବାନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆମ ଗାଁ ଆମ ବିକାଶ ଯୋଜନାରେ ଯେତେ ପ୍ରକଳ୍ପ ହାତକୁ ନିଆଯାଇଛି ତାହାକୁ ତୁରନ୍ତ ସାରିବାକୁ ମନ୍ତ୍ରୀ କହିଥିବାବେଳେ ଆରମ୍ଭ ହୋଇପାରିନଥିବା କାର୍ଯ୍ୟ ସଂକ୍ରାନ୍ତରେ ସୂଚନା ଜିଲ୍ଲାପାଳଙ୍କ ଠାରୁ ସଂଗ୍ରହକରି ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଚତୁର୍ଦ୍ଦଶ ଅର୍ଥ କମିଶନ ଏବଂ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଅଧିନରେ ଯେଉଁସବୁ ପ୍ରକଳ୍ପ ଗ୍ରହଣ କରାଯାଇଛି ସେହିସବୁ ପ୍ରକଳ୍ପ ଗୁଡିକର ମଧ୍ୟ ସମୀକ୍ଷା କରିଛନ୍ତି । ଲୋକସେବା ଭବନ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ, ପଂଚାୟତିରାଜ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାସ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଏବଂ ସ୍ବତନ୍ତ୍ର ସଚିବ ଏସ୍.ଏନ୍.ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।