ରଣପୁରରୁ ବାଘ ଛାଲ ଜବତ ଘଟଣାର ଖୋଲୁଛି ଗୁମର : ବନ୍ଧମୁଣ୍ଡା ପଞ୍ଚାୟତର ସମିତିସଭ୍ୟଙ୍କୁ ଗିରଫ କଲା STF

Published By : Prameya-News7 Bureau | June 15, 2020 IST

ଭୁବନେଶ୍ୱର ୧୫।୦୬: ରଣପୁରରୁ ବାଘ ଛାଲ ଜବତ ଘଟଣା । ସମିତି ସଭ୍ୟ ନିଜେ ବାଘ ଦେହରୁ ଛାଲ ଉତାରିଥିଲେ । ବାଘ ଛାଲ କାରବାର କରୁଥିବା ରଣପୁର ବ୍ଲକ୍  ବନ୍ଧମୁଣ୍ଡା ପଞ୍ଚାୟତର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଏସ୍ ଟିଏଫ୍  ଗିରଫ କରିବା ପରେ ଏହି ବେଆଇନ କାରବାରର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି କାରବାରରେ କେବଳ ଲକ୍ଷ୍ମୀଧର ନୁହନ୍ତି, ଆହୁରି କିଛି ବ୍ୟକ୍ତି ସାମିଲ ଥିବା ଜଣାଯାଇଛି। ଏପରିକି ଲକ୍ଷ୍ମୀଧର ବାଘକୁ ହତ୍ୟା ପରେ, ତା’ର ଶରୀରରୁ ଛାଲ ଉତାରୁଥିବାର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଲକ୍ଷ୍ମୀଧର ବାଘ ଶରୀରରୁ ଛାଲ ବାହାର କରୁଥିବାବେ ଳେ, ଅନ୍ୟ ଦୁଇ ଜଣ ବ୍ୟକ୍ତି ପାଖରେ ଛିଡ଼ା ହୋଇ ତାଙ୍କୁ ସହଯୋଗ କରୁଥିବା ଦେଖାଯାଇଛି। ଏହି ଦୁଇ ବ୍ୟକ୍ତିଙ୍କ ଗୋଡ଼ ଦେଖା ଯାଉଥିବାବେଳେ ମୁହଁ ଫଟୋ ରେ କଟିଯାଇଛି। ଏଥି ସହିତ ଫଟୋ ଉଠାଇଥିବା ଜଣେ ବ୍ୟକ୍ତି ମଧ୍ୟ ରହିଥିବା କୁହାଯାଉଛି। ଏ ସମସ୍ତ ଘଟଣା ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଅଧୀନ ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।

wp:html /wp:html

ସମିତି ସଭ୍ୟ ତଥା ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧରଙ୍କ ପଞ୍ଚାୟତ ବନ୍ଧମୁଣ୍ଡା ତଥା ଗ୍ରାମ ଜାମୁଗଣ୍ଡ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ। ଏହା ରଣପୁରର ଏକ ଅଗମ୍ୟ ଜଙ୍ଗଲ ଅଞ୍ଚଳ। ଏଠାରେ ହାତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ବନ୍ୟଜନ୍ତୁ ବାସ କରିବା ସ୍ବାଭାବିକ ଘଟଣା। ଏହି ପଞ୍ଚାୟତକୁ ପ୍ରବେଶ ନିମନ୍ତେ ଭେଟବର ଡ୍ୟାମ୍  ନିକଟରେ ବନ ବିଭାଗର ଚେକ୍ ପୋଷ୍ଟ ରହିଛି। ଫରେଷ୍ଟ ଗାର୍ଡ, ଫରେଷ୍ଟର୍  ଏହି ଅଞ୍ଚଳରେ ନିୟୋଜିତ ଅଛନ୍ତି। ତେଣୁ କିଭଳି ଏଠାରେ ଏକ ବାଘକୁ ହତ୍ୟା କରାଗଲା, ବନ ବିଭାଗ ତାହା ଜାଣିପାରିଲା ନାହିଁ? ଅନ୍ୟ ଅଞ୍ଚଳରୁ ଯଦି କେହି ବାଘ ହତ୍ୟା କରି ରଣପୁର ବନ୍ଧମୁଣ୍ଡା ଅଞ୍ଚଳକୁ ଆଣିଲେ, ଚେକ୍ ପୋଷ୍ଟରେ ନିଯୁକ୍ତ ବନ ବିଭାଗ କର୍ମଚାରୀ କ’ଣ କରୁଥିଲେ? ନିକଟରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ରଣପୁର ଅଞ୍ଚଳରୁ ତିନି ବେପାରୀ ଗିରଫ ହେବା ସହ, ଚାରି ବାଘ ଛାଲ ସମେତ ହରିଣ ଛାଲ, ହାଡ଼ ଆଦି ଜବତ ହେବା ଜିଲ୍ଲାରେ ବନ୍ୟଜନ୍ତୁଙ୍କ ଜୀବନ ଆଶଙ୍କାରେ ଥିବା ସ୍ପଷ୍ଟ କରୁଛି। ଘଟଣାରୁ ଅଞ୍ଚଳରେ ଶିକାରୀ ପଲ ମାତିଥିବା ଜଣାପଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.